ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ରବିବାର ଦିନ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ ହୋଇଛି।
କୋର୍ଟରେ ହାଜର ପାଇଁ ରାହୁଲ ଗାନ୍ଧୀ ଆଜି ସୁଲତାନପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ପ୍ରାୟ ୮୯.୫ କିଲୋମିଟର ଦୂରରେ, ରାହୁଲ ଗାନ୍ଧୀଙ୍କ କାର୍କେଡ୍ ପଛରେ ଥିବା କଂଗ୍ରେସ କର୍ମୀଙ୍କ କିଛି ଗାଡ଼ି ଧକ୍କା ଖାଇଛି।ଏହି ଦୁର୍ଘଟଣା ହଲିଆପୁର ପୋଲିସ ଷ୍ଟେସନ ଅଧୀନରେ ଘଟିଛି।
ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଯାଉଥିବା କାର୍କେଡ୍ ହଠାତ୍ ବ୍ରେକ୍ ଲଗାଇଥିଲା, ଯାହା ଫଳରେ ପଛରେ ଥିବା ଗାଡ଼ିଗୁଡ଼ିକ ପରସ୍ପର ସହିତ ଧକ୍କା ହୋଇଥିଲା। ଧକ୍କାରେ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।
ଏହା ସହ ପ୍ରାଥମିକ ସୂଚନା ଅନୁଯାୟୀ ଜଣେରୁ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ରାହୁଲ ଗାନ୍ଧୀ ସୁରକ୍ଷିତ ଅଛନ୍ତି ଏବଂ ସୁଲତାନପୁର ଅଭିମୁଖେ ବାହାରି ଯାଇଛନ୍ତି।
ଘଟଣା ବିଷୟରେ ସୂଚନା ପାଇବା ପରେ ହଲିଆପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରି ଟ୍ରାଫିକ୍ ପୁନରୁଦ୍ଧାର କରିଛନ୍ତି । ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି।
କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସୁଲତାନପୁର ସିଭିଲ୍ କୋର୍ଟରେ ସ୍ୱତନ୍ତ୍ର ସାଂସଦ-ବିଧାୟକ କୋର୍ଟରେ ହାଜର ହେବା ପାଇଁ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜଡିତ ଏକ ମାନହାନି ମାମଲାରେ କୋର୍ଟ ଆଜି ରାୟ ଶୁଣାଇବାର କାର୍ଯ୍ୟକ୍ରମ ରହିଛି।ଏହି ମାମଲା ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଅମିତ ଶାହଙ୍କ ବିଷୟରେ ରାହୁଲ ଗାନ୍ଧୀଙ୍କ କଥିତ ମନ୍ତବ୍ୟ ସହିତ ଜଡିତ। ଏହି ମାମଲାରେ ସୁଲତାନପୁରର ବିଜେପି ନେତା ବିଜୟ ମିଶ୍ର ଅଗଷ୍ଟ ୪, ୨୦୧୮ରେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମାନହାନି ଅଭିଯୋଗ ଦାଖଲ କରିଥିଲେ।

