ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ ସଂସଦର ଉଭୟ ଗୃହରେ ପାସ ହେଲା ସତ କିନ୍ତୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । କାରଣ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରାଇବେ ନାହିଁ । ଯଦି କେନ୍ଦ୍ରରେ ଆମ ସରକାର ଆସିବ ତେବେ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ କାର୍ଯ୍ୟକାରୀ କରାଇବୁ । ରାଜସ୍ଥାନରେ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରି ଏପରି ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।
ରାଜସ୍ଥାନରେ ନିର୍ବାଚନ ପ୍ରଚାର ଅବସରରେ ରାହୁଲ ଆହୁରି କହିଥିଲେ, ମୋଦି ସରକାର ଇଣ୍ଡିଆର ନାଁ ଭାରତ କରିବାକୁ ଚାହୁଁଥିଲେ । ସେଥିପାଇଁ ବିଶେଷ ଅଧିବେଶନ ଡାକିଥିଲେ । ହେଲେ ପୁଣି ଏହାକୁ ଅଟକାଇ ମହିଳା ସଂରକ୍ଷଣ ବିଲ ଆଣିଲେ ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ରାଜସ୍ଥାନରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ବିଧାନସଭା ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ । ରାହୁଲ ଗାନ୍ଧୀ କହିଥିଲେ, ଯଦି ଆମ ସରକାର କେନ୍ଦ୍ରରେ କ୍ଷମତାକୁ ଆସେ ତେବେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଇବ ।
ସେ କହିଥିଲେ, ପୁରା ବିପକ୍ଷ ଦଳ ମହିଳା ସଂରକ୍ଷଣକୁ ସମର୍ଥନ କଲେ । ଆମେ ଚାହୁଁଛୁ ଏହି ବିଲ ଆଜି ହିଁ କାର୍ଯ୍ୟକାରୀ ହେଉ । ହେଲେ ବିଜେପି ଦଳ ଦଶ ବର୍ଷ ପରେ ଏହାକୁ ଲାଗୁ କରାଇବାକୁ ଚାହୁଁଛନ୍ତି ।
ସେହିପରି ଜାତିଗତ ଜନଗଣନାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ରାହୁଲ । ସେ କହିଥିଲେ, ମୋଦି ଓବିସି ବର୍ଗଙ୍କୁ ଭାଗିଦାରୀ ଦେବାକୁ ଚାହୁଁଛନ୍ତି । କିନ୍ତୁ ଜାତିଗତ ଜନଗଣନାକୁ କାହିଁକି ଡରୁଛନ୍ତି ? ବିଜେପିବାଲା ଯେତେବେଳେ ଭୋଟ ମାଗିବାକୁ ଆସିବେ ସେତେବେଳେ ଜାତିଗତ ଜନଗଣନାକୁ କାହିଁକି ଡରୁଛନ୍ତି ବୋଲି ପଚାରିବାକୁ କଂଗ୍ରେସ କାର୍ଯ୍ୟକର୍ତ୍ତାକୁ ପରାମର୍ଶ ଦେଇଥିଲେ ରାହୁଲ ।
Comments are closed.