ବ୍ରହ୍ମପୁର: ନକଲି ଔଷଧ ବିକ୍ରି ଅଭିଯୋଗରେ ବ୍ରହ୍ମପୁରରେ ଚଢ଼ାଉ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଡ୍ରଗ୍ସ ଟିମ୍ ଚଢାଉ କରିଛି। ବିଭିନ୍ନ ଔଷଧ ଦୋକାନ ସହିତ ବିତରଣ କମ୍ପାନୀଙ୍କ ଗୋଦାମରେ ଚଢ଼ାଉ ହୋଇଥିବା ସୂଚନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର (ଡିଆଇ) ଦେବାଶିଷ କାଲୋ। ମଙ୍ଗଳବାର ସୁଦ୍ଧା ସହରର ୭ଟି ଷ୍ଟକିଷ୍ଟ ପଏଣ୍ଟ ଏବଂ ୧୩ଟି ଖୁଚୁରା ଦୋକାନରେ ଚଢ଼ଉ କରାଯାଇଛି।
କଟକରେ ନକଲି ରକ୍ତଚାପ ଔଷଧ ବିକ୍ରିକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ଦୁଇ ଅଭିଯୁକ୍ତ ଗତକାଲି ଗିରଫ ହୋଇଛନ୍ତି। ନକଲି ଔଷଧ ନେଇ ସାଧାରଣରେ ଲୋକେ ଭୟଭୀତ ହୋଇଛନ୍ତି। ଏହି କ୍ରମରେ ବ୍ରହ୍ମପୁର ସହରରେ ଚଢ଼ାଉ ହୋଇଛି।
ଡିଆଇ କାଲୋ କହିଛନ୍ତି, ଗ୍ଳେନ୍ମାର୍କ ଫାର୍ମାର ଲୋଗୋରେ ଟେଲ୍ମା ୪୦ ଏବଂ ଟେଲମା ଏଏମ୍ ବ୍ରହ୍ମପୁରକୁ ସହରକୁ ଆସିନଥିବା ଜଣାପଡ଼ିଛି। ତଥାପି ଏହା ଉପରେ କଡା ନଜର ରଖାଯାଇଛି। ଯେଉଁ ଦୋକାନୀ କଟକ ସୁପରଷ୍ଟକିଷ୍ଟଙ୍କ ଠାରୁ ଔଷଧ ଆଣୁଛନ୍ତି, ସେମାନଙ୍କ ଗୋଦାମରେ ଯାଞ୍ଚ କରାଯାଉଛି। କଟକରେ ନକଲି ଔଷଧ ମିଳିବା ପରେ ବ୍ରହ୍ମପୁର ସହରରେ ଗତ ୭ ତାରିଖ ଠାରୁ ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି।
କହିବାନୁଯାୟୀ, ପ୍ରତି ମାସରେ ବିଭିନ୍ନ ଔଷଧ ଦୋକାନରେ ଷ୍ଟକ୍ ଯାଞ୍ଚ ହୋଇଥାଏ। କେଉଁ ସୁପରଷ୍ଟକିଷ୍ଟଙ୍କ ଠାରୁ କେତେ ଔଷଧ କେଉଁ ଷ୍ଟକିଷ୍ଟ ଏବଂ ଖୁଚୁରା ଦୋକାନକୁ ଯାଇଥାଏ, ତାହାର ସମସ୍ତ ତଥ୍ୟ ରଖାଯାଉଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ସହରରୁ ଦକ୍ଷିଣ ଓଡ଼ିଶାର ଅନେକ ଜିଲାକୁ ଔଷଧ ପଠାଯାଇ ଥାଏ। କାରଣ ସହରରେ ଅନେକ ବଡ଼ ବଡ଼ ଫାର୍ମା କମ୍ପାନୀର ଷ୍ଟକିଷ୍ଟ ରହିଛନ୍ତି। ଭେଙ୍କେଟେଶ୍ୱର ମନ୍ଦିର, ସାନବଜାର, ବଡ଼ବଜାର ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ହୋଲସେଲ୍ଫ ଔଷଧ ବିକ୍ରି ଦୋକାନ ରହିଛି। ନିୟମିତ ସେଗୁଡ଼ିକ ଉପରେ ଚଢ଼ଉ ପାଇଁ ସାଧାରଣରେ ଦାବି ହେଉଛି।
Comments are closed.