Latest Odisha News

BREAKING NEWS

ମହାକୁମ୍ଭ ପାଇଁ ରେଳବାଇର ପ୍ରସ୍ତୁତି ଅନୁଧ୍ୟାନ କଲେ ଅଶ୍ୱିନୀ ବୈଷ୍ଣବ, ଚାଲିବ ୧୩ ହଜାର ଟ୍ରେନ

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫  କାରଣରୁ ଶ୍ରଦ୍ଧାଳୁଙ୍କ ପାଇଁ ବଡ ପଦକ୍ଷେପ ନେଇଛି ରେଳବାଇ ବିଭାଗ। ମହାକୁମ୍ଭ ପାଇଁ ଶ୍ରଦ୍ଧାଳୁଙ୍କ ସୁବିଧା ଦୃଷ୍ଟିରୁ ଚାଲିବ ୧୩ ହଜାର ଟ୍ରେନ। ଏଥିରେ ୩ ହଜାର ସ୍ୱତନ୍ତ୍ର ଓ ୧୦ ହଜାର ନିୟମିତ ଟ୍ରେନ ରହିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ଲାଗି ରେଳବାଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ସେ ରବିବାର ବାରଣାସୀରୁ ଟ୍ରେନ ଯୋଗେ ପ୍ରୟାଗରାଜ ପହଞ୍ଚିଛନ୍ତି। ସେ କହିଛନ୍ତି, ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ରେଳବାଇ ୩ ହଜାର ସ୍ୱତନ୍ତ୍ର ଓ ୧୦ ହଜାର ନିୟମିତ ଟ୍ରେନ ଚାଲିବ। ଏଥିରେ ଦେଢରୁ ୨ କୋଟି ଯାତ୍ରୀ ଉପକୃତ ହେବେ।

ପୂର୍ବୋତ୍ତର ରେଳ, ଉତ୍ତର ରେଳ ଓ ଉତ୍ତର-ମଧ୍ୟ ରେଳ ଅନ୍ତର୍ଗତ ପ୍ରୟାଗରାଜ ସ୍ଥିତ ବିଭିନ୍ନ ଷ୍ଟେସନ ନିରୀକ୍ଷଣ କରିବା ପରେ ରେଳମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଗଙ୍ଗା ନଦୀ ଉପରେ ନିର୍ମିତ ପୋଲର ମଧ୍ୟ ନିରୀକ୍ଷଣ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ଉଦଘାଟନ କରିବେ। ଏଠାରେ ଗଙ୍ଗା ନଦୀ ଉପରେ ପାଖାପାଖି ୧୦୦ ବର୍ଷ ପରେ ପୋଲ ନିର୍ମିତ ହୋଇଛି।

ସେ ଆହୁରି କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଆଜି ୫ଟି ଷ୍ଟେସନ ନିରୀକ୍ଷଣ କରିଛି। ଏହି ସବୁ ଷ୍ଟେସନର ହୋଲ୍ଡିଂ ଏରିଆ ବହୁତ ଭଲ। ଏଣୁ ଶ୍ରଦ୍ଧାଳୁ ଟ୍ରେନ ଆସିବା ପର୍ଯ୍ୟନ୍ତ ଭଲରେ ବସି ଅପେକ୍ଷା କରିପାରିବେ। ହୋଲ୍ଡିଂ ଏରିଆ ଓ ଟିକେଟରେ କଲର କୋଡିଂ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶ୍ରଦ୍ଧାଳୁ ସହଜରେ ପ୍ଲାଟଫର୍ମକୁ ପହଞ୍ଚି ପାରିବେ ଓ ଉପଯୁକ୍ତ ଟ୍ରେନ ପାଇପାରିବେ। ଏଠାରେ ପ୍ରଥମ ଥର ମୋବାଇଲ ୟୁଟିଏସର ଉପଯୋଗ ହେଉଥିବା ସେ କହିଛନ୍ତି।

ଏହା ଦ୍ବାରା ମୋବାଇଲ ଉପକରଣ ରଖିଥିବା ବ୍ୟକ୍ତି ଯାତ୍ରୀଙ୍କୁ ଟିକେଟ୍ ଉପଲବ୍ଧ କରାଇ ପାରିବେ। ଏହା ପୂର୍ବରୁ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ପ୍ରଥମ ଥର ମୋବାଇଲ ୟୁଟିଏସ୍ ବ୍ୟବହାର ହୋଇଥିଲା। ସବୁ ଷ୍ଟେସନରେ ଗୋଟିଏ ଗୋଟିଏ କଣ୍ଟ୍ରୋଲ ରୁମ ରହିବ ଓ ସବୁ କଣ୍ଟ୍ରୋଲ ରୁମର ମାଷ୍ଟର କଣ୍ଟ୍ରୋଲ ରୁମ ପ୍ରୟାଗରାଜ ଷ୍ଟେସନରେ ରହିବ। ଏଠାରେ ସବୁ ଷ୍ଟେସନର ଲାଇଭ ତଥ୍ୟ ମିଳିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।

Comments are closed.