ଭୁବନେଶ୍ୱର: ସମାନ କାମକୁ ସମାନ ଦରମା ଦାବି। ୧୦ ହଜାରରୁ ଅଧିକ ଶିକ୍ଷକ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପେନସନ, ଗ୍ରାଚ୍ୟୁଇଟି, ଓ ସେମାନଙ୍କ ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନ ଦାବିରେ ଲୋୟର ପିଏମଜିରେ ବିଶାଳ ରାଲି କରୁଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଏହି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଗୁରୁବାର ଆନ୍ଦୋଳନର ଦ୍ୱିତୀୟ ଦିନ ଥିଲା।
ଭୁବନେଶ୍ୱର ଲୋୟର ପିଏମଜି ଛକଠାରେ ଶିକ୍ଷକ ଶିକ୍ଷୟତ୍ରୀ ବର୍ଷାରେ ଭିଜି ଭିଜି ଧାରଣାରେ ବସିଥିବା ବେଳେ ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି।
୫ ବର୍ଷ ବିଧାୟକ ଓ ସାଂସଦ ରହିବା ପରେ ଯଦି ଜଣେ ନେତାଙ୍କୁ ଆଜୀବନ ପେନସନ ମିଳୁଛି ତାହେଲେ ଗତ ୩୦-୩୫ ବର୍ଷ ଧରି ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ଶିକ୍ଷକମାନଙ୍କୁ କାହିଁକି ଦାବି ମୁତାବକ ସୁବିଧା ମିଳିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଆଉ ହକ ପାଇଁ ରାସ୍ତାରେ ବସି ମାଗିବା ପାଇଁ ବାଧ୍ୟ ହେଉଛୁ ବୋଲି ଆନ୍ଦୋଳନରତ ଶିକ୍ଷକ କହିଛନ୍ତି। ଏହା ଦୁର୍ଭାଗ୍ୟଜନକ ଏବଂ ଆଗାମୀ ପିଢ଼ିର ଛାତ୍ରଛାତ୍ରୀମାନେ ବଡ଼ ହେବା ସମୟରେ ସରକାରଙ୍କ ଏହି କାମକୁ ମନେ ରଖିବେ ବୋଲି ଜଣେ ଆନ୍ଦୋଳନରତ ଶିକ୍ଷକ କହିଛନ୍ତି।
ବର୍ଷା ସତ୍ତ୍ୱେ ଧାରଣାରେ ବସିବା ନେଇ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାରଙ୍କ କୌଣସି ଆଶ୍ୱାସନା ନ ପାଇ ଖାଲି ହାତରେ ଘରକୁ ଫେରିବାର ଯନ୍ତ୍ରଣା ବର୍ଷାରେ ରାସ୍ତାରେ ବସିବାର ଯନ୍ତ୍ରଣାଠାରୁ ବହୁତ ଅଧିକ।
ଗତ ନିର୍ବାଚନ ସମୟରେ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ। ସରକାର ସପ୍ତମ ବେତନ କମିସନରେ ୨୨୬ଟି ସ୍କୁଲକୁ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏଁ କିଛି ପାଇନାହାନ୍ତି ବୋଲି ପଶ୍ଚିମ ଓଡ଼ିଶାରୁ ଆସିଥିବା ଜଣେ ଆନ୍ଦୋଳନରତ ଶିକ୍ଷକ କହିଛନ୍ତି।
Comments are closed.