ଭୁବନେଶ୍ଵର: ଆଜିଠୁ କମିବ ରାତିର ତାପମାତ୍ରା । ଆସନ୍ତା ୩ଦିନ ଯାଏଁ ପାରଦ ୨ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଦୁଇଦିନ ପରେ ଦିନର ତାପମାତ୍ରା ମଧ୍ୟ ସାମାନ୍ୟ କମିବ । ସେପଟେ ଆସନ୍ତା ୮ ତାରିଖରୁ ରାଜ୍ୟରେ ପୁଣି କୁହୁଡ଼ି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ରାଜ୍ୟରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ସେହିପରି ରାତି ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ବର୍ତ୍ତମାନ ଗୁରୁଚାପ ବଳୟ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମରୁ ପବନ ଆସିବ । ଏହା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ଖସିବ । ଉପକୂଳରେ ତାପମାତ୍ରା କମିଲେ ବି ଥଣ୍ଡା ବେଶି ବଢ଼ିନପାରେ ବୋଲି କହିଛି ପାଣିପାଗ ବିଭାଗ ।
ତେବେ ଆଉ ୩ ଦିନ ଘନ କୁହୁଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
Comments are closed.