ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ରାଜାରାଣୀ ସଙ୍ଗୀତ ମହୋତ୍ସବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ଅନୁଷ୍ଠିତ ହେବ । ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରି ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା , ଏହି କଳାର ପ୍ରଚାର ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା ହେଉଛି ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।
ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ବାଦକ ଦମ୍ପତିି ପଣ୍ଡିତ ଶୁଭେନ୍ଦ୍ର ରାଓ ଓ ସଶକିୟା ରାଓ ଦେ ହାସ ଦ୍ୱାରା ସୀତାର ଓ ସେଲା ବାଦନର ଯୁଗଳବନ୍ଦୀ । ସେମାନେ ପ୍ରଥମେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ଆଧାରିତ ରାଗ କବୋଣୀ ଓତିନତାଲ ପରେ ପରେ ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବାଦନ ବେଶ ହୃଦୟସ୍ପର୍ଷି ଥିଲା । ଏହାକୁ ଦର୍ଶକ ଖୁବ୍ ଉପଭୋଗ କରିଥିଲେ । ସେମାନଙ୍କୁ ତବଲାରେ ରାମ କୁମାର ମିଶ୍ର ସହଯୋଗ କରିଥିଲେ । ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ହୀନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଷାରଦ ପଣ୍ଡିତ ଅଜୟ ଚକ୍ରବର୍ତ୍ତୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପରିବେଷଣ, ଯାହା ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ସହଯୋଗ କରିଥିଲେ ହାରମୋନିୟମରେ ଯତିଶମୟ ବାନାର୍ଜୀ, ତବଲାରେ ଯଶବନ୍ତ ବୌଷ୍ଣବ ଓ କଣ୍ଠରେ ମିହିର ପାରଲିଙ୍କର ।
ଉଦଘାଟନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Comments are closed.