Latest Odisha News

ଗେହଲୋଟଙ୍କ ସହ କଥା ହେଲେନି ସୋନିଆ !

ଜୟପୁର: ନେତୃତ୍ବକୁ ନେଇ କଂଗ୍ରେସରେ ଦେଖାଦେଇଥିବା ହଟଚମଟ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି। ଏବେ ଅପେକ୍ଷା କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ କ’ଣ ରିପୋର୍ଟ ଦେବେ। ଆଉ ସୋନିଆ ଗାନ୍ଧୀ କ’ଣ ନିଷ୍ପତ୍ତି ନେବେ। ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଆଗାମୀ କାର୍ଯ୍ୟଧାରା କ’ଣ ହେବ ତାହା ସ୍ବଷ୍ଟ ହେବ।

ସେପଟେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ରାଜସ୍ଥାନ ରାଜନୀତିର ଘଟଣାକ୍ରମ ପରେ ଅଶୋକ ଗେହଲୋଟଙ୍କ ଉପରେ ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ଅଛନ୍ତି। ସୋନିଆ ଗାନ୍ଧୀଙ୍କ ସହ ଗେହଲୋଟ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ହେଲେ ସଫଳ ହୋଇପାରୁନାହାନ୍ତି ବୋଲି ସୂଚନା ରହିଛି। କଂଗ୍ରେସ ସଭାପତି ପଦ ପାଇଁ ଅଶୋକ ଗେହଲୋଟ୍ ନାମାଙ୍କନ ଭରିବେ କି ନାହିଁ ତାହା ମଧ୍ୟ ଏବେ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନର ଉତ୍ତରରେ ଗେହଲୋଟଙ୍କ ନିକଟତମ ବ୍ୟକ୍ତି କହିଛନ୍ତି, ହାଇକମାଣ୍ଡ ଅର୍ଥାତ୍ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ସବୁକିଛି ସ୍ଥିର ହେବ । କାରଣ ଏବେର ପରିସ୍ଥିତିରେ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ଗତକାଲି ମୌଖିକ ଭାବରେ ଖାଡଗେ ଏବଂ ମାକେନ ସୋନିଆ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ଆଜି ରାତି ସୁଦ୍ଧା ଲିଖିତ ରିପୋର୍ଟ  ରିପୋର୍ଟ ପ୍ରଦାନ କରିବା ପରେ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଏବେ କଂଗ୍ରେସ ନେତା ଅପେକ୍ଷା କରିଛନ୍ତି।

ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ତିନୋଟି ବିକଳ୍ପ ରହିଥିବା କୁହାଯାଉଛି। ପ୍ରଥମେ ଅଶୋକ ଗେହଲୋଟଙ୍କୁ ଦଳର ସଭାପତି ନିର୍ବାଚନରୁ ଓହରିଯିବାକୁ ଦିଆଯିବ ଏବଂ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବରେ ସେ ତାଙ୍କ ପଦରେ ରହିବେ। ଦ୍ୱିତୀୟରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନରେ ​​ସଂଖ୍ୟାଗରିଷ୍ଠତା ସହିତ କଂଗ୍ରେସ ବିଧାନସଭା ଦଳ ଏହାର ନେତା ବାଛିବାକୁ କୁହାଯିବ । ତୃତୀୟ ବାଚସ୍ପତି ସି.ପି ଜୋଶୀଙ୍କ ଭଳି ବଡ ନେତାଙ୍କୁ ନେତୃତ୍ବ ଦେବାକୁ ସୁଯୋଗ ଦିଆଯାଉ। କାରଣ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ସଚିନ୍ ପାଇଲଟଙ୍କ ବିରୋଧରେ ଏବେ ଅଧିକ ବିଧାୟକ ରହିଛନ୍ତି। ଦଳ ଏବେ ତାଙ୍କୁ ଅନ୍ୟ କୌଣସି ପଦ ଦେଇଉପଯୁକ୍ତ ସମ୍ମାନ ଦେବାକୁ ପ୍ରୟାସ କରିବା ଉଚିତ।

Leave A Reply

Your email address will not be published.