ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିଲାଗି ସମସ୍ତ ଦଳର ନେତାଙ୍କ କସରତ ଆରମ୍ଭ ହେଲାଣି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନାଗୋରର ପୂର୍ବତନ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ନାଥୁରାମ ମିର୍ଦ୍ଧାଙ୍କ ନାତୁଣୀ ଜ୍ୟୋତି ମିର୍ଦ୍ଧା ବିଜେପିରେ ଯୋଗ ଦେଇଛନ୍ତି। ରାଜସ୍ଥାନ ବିଜେପି ସଭାପତି ସିପି ଯୋଶୀଙ୍କ ଉପସ୍ଥିତିରେ ମିର୍ଦ୍ଧା ଦଳରେ ଯୋଗ ଦେଇଥିଲେ। ତାଙ୍କ ସହ ପୂର୍ବତନ ଆଇପିଏସ୍ ସୱାଇ ସିଂ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ଜ୍ୟୋତି ମିର୍ଦ୍ଧାଙ୍କ ବିଜେପିରେ ଯୋଗଦେବା କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି। କାରଣ ମିର୍ଦ୍ଧା ଜାଟ ସମ୍ପ୍ରଦାୟରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ବିଧାନସଭା କିମ୍ବା ଲୋକସଭା ନିର୍ବାଚନରେ ଏହି ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପଶ୍ଚିମ ରାଜସ୍ଥାନର ଜାଟ ନେତ୍ରୀ ଥିବା ଜ୍ୟୋତିଙ୍କୁ ଦଳକୁ ଆଣି ଜାଟ ଭୋଟରଙ୍କୁ ହାତେଇବା ପାଇଁ ବିଜେପି ଏହି ମାଷ୍ଟର ମାଇଣ୍ଡି ଗେମ ଖେଳିଛି ବୋଲି କୁହାଯାଉଛି।
ରାଜସ୍ଥାନ ବିଜେପି ସଭାପତି ସିପି ଯୋଶୀ ଜ୍ୟୋତିଙ୍କୁ ସଦସ୍ୟତା ପ୍ରଦାନ କରି ଦଳରେ ସ୍ୱାଗତ କରିଥିଲେ। ବିଜେପିର ଏହି ପଦକ୍ଷେପ ବିରୋଧୀ ଦଳ କଂଗ୍ରେସ ପାଇଁ ଏକ ବଡ ଝଟକା। ରାଜସ୍ଥାନ ରାଜନୀତିରେ ଜ୍ୟୋତି ମିର୍ଦ୍ଧାଙ୍କର ଅନେକ ନାମ ରହିଛି। ରାଜ୍ୟର ଜାଟ ସମ୍ପ୍ରଦାୟରେ ମିର୍ଦ୍ଧା ପରିବାରର ଭଲ ସ୍ଥାନ ରହିଛି। ଜ୍ୟୋତି ନାଗରୁର କଂଗ୍ରେସ ସାଂସଦ ହୋଇସାରିଛନ୍ତି। ଏହା ପରେ ଜ୍ୟୋତି ପୁଣିଥରେ ୨୦୧୯ରେ ନାଗୋରରୁ ଲୋକ ସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ସେ ହନୁମାନ ବେନିୱାଲଙ୍କଠାରୁ ହାରିଯାଇଥିଲେ।
Comments are closed.