Latest Odisha News

ସିଙ୍ଗଡା ଭିତରେ ବ୍ଲେଡ୍, ଥାନାରେ ଏତଲା

ଜୟପୁର: ଗତ କିଛି ମାସ ଧରି ଖାଦ୍ୟ ସାମଗ୍ରୀରୁ ବିପଜ୍ଜନକ ପଦାର୍ଥ ବାହାରିବାର ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଶୁଣି ଆପଣ ବିଶ୍ଵାସ ମଧ୍ୟ କରିପାରିବେନି। ରାଜସ୍ଥାନର ଟୋଙ୍କ ଜିଲ୍ଲାର ନିୱାଇ ସହରର ଥିବା ଏକ ଦୋକାନର ସିଙ୍ଗଡାରୁ ବ୍ଲେଡ ଖଣ୍ଡ ବାହାରିଛି । ଯାହାକୁ ନେଇ ଦୋକାନ ମାଲିକ ଏବଂ ସିଙ୍ଗଡା କିଣିଥିବା ଗ୍ରାହଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ବାସ୍ତବରେ ରମେଶ ବର୍ମା ନାମକ ଜଣେ ବ୍ୟକ୍ତି ଏକ ଦୋକାନରୁ ସିଙ୍ଗଡା କିଣି ଘରକୁ ନେଇଥିଲେ । ପରିବାର ଲୋକଙ୍କ ସହ ବସି ଖୁସିରେ ସିଙ୍ଗଡା ଖାଇବା ବେଳେ ସେହି ସିଙ୍ଗଡା ଭିତରୁ ଏକ ଭଙ୍ଗା ବ୍ଲେଡ ବାହାରିବା ଦେଖିଥିଲେ । ସଙ୍ଗେ ସଙ୍ଗେ ରମେଶ ସେହି ସିଙ୍ଗଡା ଏବଂ ବ୍ଲେଡ ଖଣ୍ଡକୁ ଧରି ସେହି ଦୋକାନୀ ନିକଟରେ ପହଞ୍ଚିଲେ। କିନ୍ତୁ ଦୋକାନୀ ଜଣଙ୍କ ଦୋଷକୁ ନମାନି ରମେଶଙ୍କୁ ଗାଳିଗୁଲଜ କରି ଦୋକାନରୁ ଫେରାଇ ଦେଇଥିଲେ । ଦୋକାନୀଙ୍କ ଏପରି କାର୍ଯ୍ୟରେ କ୍ରୋଧିତ ହୋଇ ରମେଶ ସିଧାସଳଖ ଯାଇ ପହଞ୍ଚିଥିଲେ ପୋଲିସ ଷ୍ଟେସନରେ । ଥାନାରେ ଅଭିଯୋଗ କରିବା ସହ ପ୍ରମାଣ ସ୍ଵରୁପ ସିଙ୍ଗଡା ଏବଂ ବ୍ଲେଡ ପୋଲିସକୁ ଦେଖାଇଥିଲେ । ରମେଶ ଏନେଇ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇବା ସହ ଦୋକାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଘଟଣାକୁ ଗମ୍ଭୀରତାର ସହ ନେଇ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟନାରାୟଣ ଗୁର୍ଜରଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନର ସମସ୍ତ ଖାଦ୍ୟ ସାମଗ୍ରୀକୁ ଜବତ କରିଥିଲେ । ଯାଞ୍ଚ କରିବା ପରେ ଅପରିଷ୍କାର ସ୍ଥାନରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ସହ ଅତ୍ୟନ୍ତ ନିମ୍ନ ମାନର ଜିନିଷ ବ୍ୟବହାର କରାଯାଉଥିବା ନେଇ ଜାଣିଥିଲା ଟିମ୍ । ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ କହିବା ଅନୁସାରେ, ଉକ୍ତ ଦୋକାନ ମାଲିକଙ୍କୁ ନୋଟିସ ଜାରି କରାଯିବ। ଏହା ବ୍ୟତୀତ ସିଙ୍ଗଡାରେ ବ୍ଲେଡ ମିଳିବା ଘଟଣାର ତଦନ୍ତ ପାଇଁ ନମୁନାକୁ ଲାବୋରେଟୋରୀକୁ ପଠାଯିବ ।

Leave A Reply

Your email address will not be published.