Latest Odisha News

ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା, ୭ ନିଲମ୍ବିତ, ୬ ଜଣଙ୍କୁ ବଦଳି

ରାଜକୋଟ: ରାଜକୋଟ ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣା । କାର୍ଯ୍ୟରେ ଅବହେଳା କାରଣରୁ ୨ ପୋଲିସ ସମେତ ୭ଜଣଙ୍କୁ ନିଲମ୍ବିତ କଲେ ଗୁଜରାଟ ସରକାର । ଏହାବ୍ୟତୀତ ରାଜକୋଟ ପୋଲିସ କମିଶନରଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ତେବେ ଆବଶ୍ୟକ ଅନୁମୋଦନ ନ ଥାଇ ଏହି ଗେମିଂ ଜୋନଟି ଚାଲୁଥିଲା ବୋଲି ତଦନ୍ତରୁ ଜଣାପଡିଛି ।

ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ରାଜକୋଟ ପୌର ନିଗମ ଟାଉନ ପ୍ଲାନିଂ ବିଭାଗର ସହକାରୀ ଯନ୍ତ୍ରୀ, ଆରଏମସିର ଆସିଷ୍ଟାଣ୍ଟ ଟାଉନ ପ୍ଲାନର, ସଡ଼କ ଓ ଅଟ୍ଟାଳିକା ବିଭାଗର ୨ଜଣ ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୨ ଜଣ ପୋଲିସ ଇନ୍ସପେକ୍ଟର ଏବଂ ଆରଏମସିର କାଲାଭାଦ୍‌ ରୋଡ୍‌ ଫାୟାରଷ୍ଟେଶନର ଷ୍ଟେଶନ ଅଫିସର ।

ସେପଟେ ଗେମିଂ ଜୋନର ଜଣେ ଅଂଶୀଦାରଙ୍କୁ ମଧ୍ୟ ଗତକାଲି ପୋଲିସ ଗିରଫ କରିଛି। ଗତ ରବିବାର ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଅଗ୍ନିକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୩ରେ ପହଞ୍ଚିଛି ।

ସୂଚନା ଅନୁସାରେ, ଗତ ଶନିବାର ଅପରାହ୍ନରେ ରାଜକୋଟ ଗେମିଂ ଜୋନ୍‌ରେ ନିଆଁ ଲାଗି ଛୋଟ ପିଲାଙ୍କ ସମେତ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। ପରେ ଏହାର ସିସିଟିଭି ଫୁଟେଜ୍ ମଧ୍ୟ ମିଳିଥିଲା । ସିସିଟିଭିରେ ପୁରା ନିଆଁ ଲାଗିବାର ଦୃଶ୍ୟ କଏଦ ହୋଇଥିଲା । ନିଆଁର ପ୍ରକୋପ ଏପରି ଥିଲା ଯେ ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଚିହ୍ନିବା ଅସମ୍ଭବ ହୋଇଥିଲା । ତେଣୁ ଚିହ୍ନଟ ପାଇଁ ମୃତକଙ୍କର ଡିଏନଏ ଟେଷ୍ଟ କରାଯାଇଥିଲା । ସେପଟେ ଘଟଣାର ଛାନଭିନ ପାଇଁ ଏଆଇଟି ଗଠନ କରାଯାଇଛି ।

 

Comments are closed.