ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ୮ ତାରିଖରେ ରାଜ୍ୟସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଓ ଶୃଙ୍ଖଳା ବିଲ୍ -୨୦୨୩ ପାରିତ ହୋଇ ଯାଇଛି । ୨୦୨୩ ଅଗଷ୍ଟ ୪, ତାରିଖରେ ଏହା ଲୋକସଭାରେ ପାରିତ ହୋଇଥିଲା । ଏହି ବିଲ୍ରେ କମାଣ୍ଡର – ଇନ୍ – ଚିଫ୍ ଏବଂ ଅଫିସର – ଇନ୍ – କମାଣ୍ଡ୍ ଅଫ୍ ଇଣ୍ଟର- ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ)ଙ୍କୁ ଏଭଳି ସଂଗଠନରେ କାର୍ଯ୍ୟରତ କିମ୍ବା ସଂପୃକ୍ତ କର୍ମଚାରୀଙ୍କ ସମ୍ପର୍କରେ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ ନିଷ୍ପତ୍ତି ନେବାକୁ କ୍ଷମତା ପ୍ରଦାନ କରାଯିବ।
ଉଚ୍ଚ ସଦନରେ ଏହି ବିଲ୍ର ଶୁଭାରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶ୍ୱ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ପାଇଁ ଏହି ବିଲ୍ ଜରୁରୀ ବୋଲି ବର୍ଣ୍ଣନା କରି କହିଥିଲେ ଯେ , ଉତ୍ତମ ସଂଯୋଗୀକରଣ ଏବଂ ସମନ୍ୱିତକରଣ ମାଧ୍ୟମରେ ହିଁ ସେନା ଜାତୀୟ ସ୍ୱାର୍ଥର ସୁରକ୍ଷା ଦିଗରେ ଆଗକୁ ବଢ଼ିପାରିବ । ଏହି ବିଲ୍ ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବ ଏବଂ ସମନ୍ୱିତ ଢାଂଚାକୁ ସୁଦୃଢ଼ କରିବ ଏବଂ ଏହା ଭାରତର ସାମରିକ ସଂସ୍କାର ପଥରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଗୃହକୁ ଆଶ୍ୱାସନା ଦେଇଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ଦର୍ଶାଇଥିଲେ ଯେ, ଆଜିର ଯୁଦ୍ଧ ଆଉ ପାରମ୍ପରିକ ହୋଇ ରହିନାହିଁ, ବରଂ ଟେକ୍ନୋଲୋଜି ଏବଂ ନେଟୱାର୍କ କେନ୍ଦ୍ରିକ ହୋଇ ଯାଇଛି, ଯାହା ଦେଶ ସମ୍ମୁଖୀନ ହେଉଥିବା ଭବିଷ୍ୟତ ଆହ୍ୱାନର ମୁକାବିଲା କରିବା ପାଇଁ ତିନି ସେନା ନିମନ୍ତେ ଅଧିକ ସମନ୍ୱୟ ସହିତ କାର୍ଯ୍ୟ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଛି ।
ଆଇଏସ୍ଓ ବିଲ୍ ବିଷୟରେ – ୨୦୨୩
ବର୍ତ୍ତମାନ ସଶସ୍ତ୍ର ବାହିନୀର ଯବାନମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ଅଧିନିୟମ – ସେନା ଅଧିନିୟମ ୧୯୫୦, ନୌସେନା ଅଧିନିୟମ ୧୯୫୭ ଏବଂ ବାୟୁସେନା ଅଧିନିୟମ ୧୯୫୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାନ୍ତି । ଏହି ବିଲ୍ ପ୍ରଣୟନ ହେବା ଯୋଗୁଁ ଆଇଏସ୍ଓ ମାନଙ୍କ ଦ୍ୱାରା ଆନ୍ତଃସେବା ପ୍ରତିଷ୍ଠାନରେ ପ୍ରଭାବଶାଳୀ ଶୃଙ୍ଖଳା ବଜାୟ ରଖିବା, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ ଥିବା କର୍ମଚାରୀ ମାନଙ୍କୁ ସେମାନଙ୍କ ମୂଳ ସେବା ୟୁନିଟ୍କୁ ପ୍ରତ୍ୟାବର୍ତ୍ତନ କରିବାର ଆବଶ୍ୟକତା ନାହିଁ, ଦୁବଁବ୍ୟବହାର କିମ୍ବା ଶୃଙ୍ଖଳାହୀନତା ମାମଲାର ତ୍ୱରିତ ସମାଧାନ ଏବଂ ଏକାଧିକ କାର୍ଯ୍ୟାନୁଷ୍ଠାନକୁ ଏଡେଇ ଜନସାଧାରଣଙ୍କ ଅର୍ଥ ଓ ସମୟ ସଞ୍ଚୟ କରିବା ଭଳି ବିଭିନ୍ନ ସଶକ୍ତ ଲାଭ ହେବ ।
ଏହି ବିଲ୍ ତିନି ସେନା ମଧ୍ୟରେ ଅଧିକ ସମନ୍ୱୟ ଏବଂ ସଂଯୋଗୀକରଣ ପାଇଁ ପଥ ଊନ୍ମୁକ୍ତ କରିବ; ଆଗାମୀ ଦିନରେ ଯୁଗ୍ମ ଢାଞ୍ଚା ଗଠନ ଏବଂ ସଶସ୍ତ୍ର ବାହିନୀର କାର୍ଯ୍ୟରେ ଆହୁରି ଉନ୍ନତି ଆଣିବା ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବ ।
ମୁଖ୍ୟ ବୈଶିଷ୍ଟ୍ୟ ସମ୍ପାଦନ
‘ଆଇଏସ୍ଓ ବିଲ୍-୨୦୨୩’ ନିୟମିତ ସେନା, ନୌସେନା ଓ ବାୟୁସେନାର ସମସ୍ତ କର୍ମଚାରୀ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଅନୁଯାୟୀ ଅନ୍ୟାନ୍ୟ ବାହିନୀର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଗୁ ହେବ, ଯେଉଁମାନେ ଏକ ଆନ୍ତଃସେବା ସଂଗଠନରେ କାର୍ଯ୍ୟରତ କିମ୍ବା ସଂପୃକ୍ତ ଅଛନ୍ତି ।
ଏହି ବିଲ୍ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ କ୍ଷମତାପ୍ରାପ୍ତ କମାଣ୍ଡର -ଇନ୍- ଚିଫ୍, ଅଫିସର – ଇନ୍- କମାଣ୍ଡ ୍ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କୁ ଶୃଙ୍ଖଳା ବଜାୟ ରଖିବା ଏବଂ ସେମାନଙ୍କ କର୍ତ୍ତବ୍ୟର ଉପଯୁକ୍ତ ନିର୍ବାହ ନିମନ୍ତେ ସେମାନଙ୍କ ଆନ୍ତଃସେବା ସଂଗଠନରେ କାର୍ଯ୍ୟରତ କିମ୍ବା ସଂପୃକ୍ତ କର୍ମଚାରୀଙ୍କ ସମ୍ବନ୍ଧରେ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତା ପ୍ରଦାନ କରାଯାଇଛି ।
କମାଣ୍ଡର- ଇନ୍- ଚିଫ୍ ବା ଅଫିସର-ଇନ୍-କମାଣ୍ଡ ଅର୍ଥ ହେଉଛି, ଜେନେରାଲ୍ ଅଫିସର /ଫ୍ଲାଗ ଅଫିସର / ଏୟାର ଅଫିସର ଯିଏ କି ଏକ ଆନ୍ତଃସେବା ସଂଗଠନର ଅଫିସର – ଇନ୍- କମାଣ୍ଡର କମାଣ୍ଡର – ଇନ୍- ଚିଫ୍ ଭାବେ ନିଯୁକ୍ତ ହୋଇଛନ୍ତି ।
କମାଣ୍ଡର -ଇନ୍- ଚିଫ୍ କିମ୍ବା ଅଫିସର- ଇନ୍- କମାଣ୍ଡଙ୍କ ଅନୁପସ୍ଥିତିରେ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ବଜାୟ ରଖିବା ପାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ଯେଉଁ ଅଧିକାରୀଙ୍କ ଉପରେ ସି- ଇନ୍-ସି କିମ୍ବା ଓଆଇ/ସି ର ଅନୁପସ୍ଥିତିରେ ନିର୍ଦ୍ଦେଶ ବିକଶିତ ହୁଏ, ସେମାନଙ୍କୁ ମଧ୍ୟ କୌଣସି ଆନ୍ତଃ- ସେବା ସଂଗଠନରେ ନିଯୁକ୍ତ, ନିୟୋଜିତ, ଅବସ୍ଥାପିତ କିମ୍ବା ସଂପୃକ୍ତ ସେବା କର୍ମଚାରୀଙ୍କ ଉପରେ ସମସ୍ତ ଶୃଙ୍ଖଳାଗତ କିମ୍ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ଅଧିକାର ମିଳିବ ।
ଏହି ବିଲ୍ରେ ଏକ ଆନ୍ତଃସେବା ସଂଗଠନର କମାଣ୍ଡିଂ ଅଫିସରଙ୍କୁ ସେହି ଆନ୍ତଃସେବା ସଂଗଠନରେ ନିଯୁକ୍ତ, ନିୟୋଜିତ, ଅବସ୍ଥାପିତ କିମ୍ବା ସଂପୃକ୍ତ କର୍ମଚାରୀଙ୍କ ଉପରେ ସମସ୍ତ ଶୃଙ୍ଖଳାଗତ କିମ୍ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଦିଆଯାଇଛି । ଏହି ଅଧିନିୟମର ଉଦ୍ଦେଶ୍ୟ ଅନୁଯାୟୀ, କମାଣ୍ଡିଂ ଅଫିସର ଅର୍ଥ ହେଉଛି, ୟୁନିଟ୍, ଜାହାଜ କିମ୍ବା ପ୍ରତିଷ୍ଠାନର ବାସ୍ତବ କମାଣ୍ଡରେ ଥିବା ଅଧିକାରୀ ।
ଏହି ବିଲ୍ରେ କେନ୍ଦ୍ର ସରକାରଙ୍କୁ ଏକ ଆନ୍ତଃସେବା ସଂଗଠନ ଗଠନ କରିବାର କ୍ଷମତା ଦିଆଯାଇଛି ।
‘ଆଇଏସ୍ଓ ବିଲ୍-୨୦୨୩’ ମୂଳତଃ ଏକ ସକ୍ଷମ ଆଇନ ଏବଂ ଏହା ବର୍ତ୍ତମାନର ସେବା ଆଇନ /ନିୟମ /ନିୟମାବଳୀରେ କୌଣସି ପରିବର୍ତ୍ତନ ପ୍ରସ୍ତାବ ଦେଇ ନାହିଁ , ଯାହା କି ସମୟ-ପରୀକ୍ଷିତ ଏବଂ ଗତ ଛଅ ଦଶନ୍ଧି କିମ୍ବା ତା’ଠାରୁ ଅଧିକ ସମୟ ଧରି ନ୍ୟାୟିକ ଯାଞ୍ଚରେ ସହାୟତା କରି ଆସିଛି । କୌଣସି ଆନ୍ତଃସେବା ସଂଗଠନରେ କାର୍ଯ୍ୟ କରୁଥିବା କିମ୍ବା ସଂପୃକ୍ତ ଥିବା ସମୟରେ ସେବା କର୍ମଚାରୀମାନେ ନିଜ ନିଜ ସେବା ଆଇନ ଦ୍ୱାରା ପରିଚାଳିତ ରହିବେ । ଏହା ଆନ୍ତଃ- ସେବା ସଂଗଠନର ମୁଖ୍ୟ ମାନଙ୍କୁ , ସେମାନେ ଯେକୌଣସି ସେବାର ହୁଅନ୍ତୁ ନା କାହିଁକି, ସେମାନଙ୍କୁ ପ୍ରଚଳିତ ସେବା ଆଇନ୍ / ନିୟମ / ନିୟମାବଳୀ ଅନୁଯାୟୀ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତା ବ୍ୟବହାର କରିବାକୁ ସଶକ୍ତ କରିଥାଏ ।
Comments are closed.