Latest Odisha News

BREAKING NEWS

ରାଜ୍ୟସଭା ପାୱାର ଗେମ୍

ନୂଆଦିଲ୍ଲୀ: ଲୋକସଭାରେ ସଂଖ୍ୟାଗରିଷ୍ଠତା ନଥିବାରୁ ବିଜେପି ଜେଡିୟୁ ଓ ଟିଡିପି ଉପରେ ନିର୍ଭରଶୀଳ । ଏନଡିଏର ଦୁଇ ମୁଖ୍ୟ ଅଂଶୀଦାରଙ୍କ ସମର୍ଥନ ଉପରେ ନିର୍ଭର କରୁଛି ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ । ବର୍ତ୍ତମାନ ରାଜ୍ୟସଭାରେ ମଧ୍ୟ ଏନଡିଏର ଦୁର୍ବଳ ସ୍ଥିତି । ଶାସକ ମେଂଟକୁ ମାତ୍ ଦେବା ପାଇଁ  କଂଗ୍ରେସ ଓ ସହଯୋଗୀଙ୍କ ବି ଆବଶ୍ୟକ ସଂଖ୍ୟା ନାହିଁ । ଉଭୟ ଇଣ୍ଡିଆ ଓ ଏନଡିଏ ମେଂଟ ପାଇଁ ଜଟିଳ ହୋଇପଡିଛି ରାଜ୍ୟସଭା ଗଣିତ । ବିଜେପିକୁ ସମର୍ଥନ କରୁଥିବା ଚାରି ମନୋନୀତ ସଦସ୍ୟଙ୍କ ଅବସର ପରେ ଦଳର ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟା ୮୬ ଓ ଏନଡିଏର ମୋଟ ସଦସ୍ୟ ସଂଖ୍ୟା ୧୦୧କୁ ଖସିଛି ।

ରାଜ୍ୟସଭାରେ ମୋଟ ସଦସ୍ୟ ସଂଖ୍ୟା ୨୪୫ । ବର୍ତ୍ତମାନ ଗୃହରେ ସଦସ୍ୟଙ୍କ ସଂଖ୍ୟା ୨୨୫ । ଏହି ସ୍ଥିତିରେ ରାଜ୍ୟସଭାରେ କୌଣସି ଦଳ ବା ମେଂଟ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩ । ବର୍ତ୍ତମାନ ନା ଏନଡିଏ ନା ଇଣ୍ଡିଆ ବ୍ଲକର ସଂଖ୍ୟାଗରିଷ୍ଠତା ରହିଛି । ଏନଡିଏର ୧୦୧ ଓ ଇଣ୍ଡି ମେଂଟର ୮୭ ସଦସ୍ୟ ଅଛନ୍ତି ।

ସଂଖ୍ୟାଗରିଷ୍ଠତା ନଥିବାରୁ ରାଜ୍ୟସଭାରେ ଗୁୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରାଇବାକୁ ଏନଡିଏ ସରକାର ପାଇଁ ଅଡୁଆ ପରିସ୍ଥିତି ସୃୃଷ୍ଟି ହୋଇଛି । ଏଥିପାଇଁ କିଛି ଅଣ-ଏନଡିଏ ଦଳ ଉପରେ ନିର୍ଭରଶୀଳ ହେବ ବିଜେପି । ଏଆଇଏଡିଏମକେ ଓ ୱାଇଏସଆର୍ କଂଗ୍ରେସର ସମର୍ଥନ ପାଇଁ ପ୍ରୟାସ କରିବ ବିଜେପି । ଏଥିପାଇଁ ଏସବୁ ଆଂଚଳିକ ଦଳଙ୍କ କିଛି ସର୍ତ୍ତ ମାନିବାକୁ ପଡିବ । ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଏନଡିଏରୁ ଓହରି ଯାଇଥିଲା ଏଆଇଏଡିଏମକେ । ଏଣେ ରାଜ୍ୟସଭା ନମ୍ବର ପାଇଁ ୱାଇଏସଆର କଂଗ୍ରେସକୁ ଯଦି ବିଜେପି ଅଧିକ ଗୁରୁତ୍ୱ ଦିଏ, ତାହା ହେଲେ ଟିଡିପି କ୍ଷୁବ୍ଧ ହେବା ଆଶଙ୍କା ରହିିଛି । ରାଜ୍ୟସଭାରେ ବିଜେପିକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେବ ବୋଲି ଜଗନଙ୍କ ପାର୍ଟି ପ୍ରତିଶ୍ରୁତି ଦେଇଛି । ରାଜ୍ୟସଭାରେ ଜଗନଙ୍କ ପାର୍ଟିର ୧୧ ସଦସ୍ୟ ଅଛନ୍ତି ।

ଲୋକସଭା ନିର୍ବାଚନ ପରେ ମୁହଁ ମୋଡିଥିବା ବିଜେଡିକୁ ବିଜେପି ନେତୃବୃନ୍ଦ ଯଦି ମନାଇବାରେ ସଫଳ ହୋଇପାରିବେ, ତାହା ହେଲେ ଏନଡିଏ ପାଇଁ ରାଜ୍ୟସଭା ଗଣିତ ଆହୁରି ସହଜ ହେବ । ଏଥର ଲୋକସଭାରେ ପ୍ରତିନିଧିତ୍ୱ ଶୂନ ରହିଥିଲେ ମଧ୍ୟ ରାଜ୍ୟସଭାରେ ବିଜେଡିର ୯ ସଦସ୍ୟ ଅଛନ୍ତି ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦ ପୁଣି ରଖିବାକୁ ହେଲେ କଂଗ୍ରେସ ଦରକାର କରୁଛି ୨୫ ଆସନ । ଦଳ ପାଖରେ ବର୍ତ୍ତମାନ ୨୬ଟି ଆସନ ରହିଛି । ହେଲେ ଆଗକୁ ସମୀକରଣ ବଦଳିପାରେ । ଏ ଦୃଷ୍ଟିରୁ ଦଳ ଚିନ୍ତିତ ହେବା ସ୍ୱାଭାବିକ । ସଂଖ୍ୟା ବଢାଇବା ପାଇଁ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଅନ୍ୟ ଦଳର ନେତାଙ୍କ ଇସ୍ତଫା ଆଶା କରୁଛି କଂଗ୍ରେସ । ଅନ୍ୟ ଦଳର ନେତାଙ୍କୁ ଟିକେଟ ଦେଇ ରାଜ୍ୟସଭା ପଠାଇବାକୁ ଉଦ୍ୟମ କରୁଛି କଂଗ୍ରେସ ।

 

Comments are closed.