ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ସେ ସୁନା କିଣିବା ପାଇଁ ହାୱାଲା ମାଧ୍ୟମରେ ଟଙ୍କା କାରବାର କରିଥିଲେ।
ସୂଚନା ଅନୁଯାୟୀ, ସୁନା ଚୋରା ଚାଲାଣ ମାମଲାରେ ଆଜି ରାନ୍ୟା ରାଓଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ବେଙ୍ଗାଲୁରୁ ସେସନ୍ସ କୋର୍ଟ ରାନ୍ୟାଙ୍କ ଜାମିନ ଶୁଣାଣି ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ବେଙ୍ଗାଲୁରୁର ୬୪ତମ ସିସିଏଚ୍ ସେସନ୍ସ କୋର୍ଟରେ ରାନ୍ୟା ରାଓଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଆଦେଶକୁ ସଂରକ୍ଷିତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୩ ମାର୍ଚ୍ଚ, ୨୦୨୫ରେ ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪ କିଲୋ ସୁନା ସହିତ ଗିରଫ କରାଯାଇଥିଲା। ଏହି ସୁନା ଦୁବାଇରୁ ଆଣିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ବୋଲି କୁହାଯାଇଥିଲା। ଗିରଫ ପରେ ଜାମିନ୍ ଖାରଜ ହେବାରୁ ରାନ୍ୟାଙ୍କୁ ଜେଲ୍ ହୋଇଥିଲା।
ସେହିପରି ରାନ୍ୟା ରାଓ ଏହି ବର୍ଷ ୨୭ ଥର ଦୁବାଇ ଯାଇଛନ୍ତି। ଯାହାଫଳରେ ତାଙ୍କ ବିରୋଧରେ ସନ୍ଦେହ ଅଧିକ ବଢିଥିଲା। କୋର୍ଟରେ ଶୁଣାଣି ବେଳେ ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଓକିଲ କହିଥିଲେ ଯେ ଏହି ମାମଲାରେ ପ୍ରୋଟୋକଲ ଉଲ୍ଲଂଘନ ହୋଇ କିପରି ସୁନା ଚୋରା ଚାଲାଣର ଷଡ଼ଯନ୍ତ୍ର ହୋଇଥିଲା ସେନେଇ ଯାଞ୍ଚ ପାଇଁ ତାଙ୍କୁ କଷ୍ଟଡିରେ ନିଆଯାଉଛି।