ନୂଆଦିଲ୍ଲୀ: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଷ୍କର୍ମକାରୀ ଆଶାରାମ ବାପୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ଗୁଜୁରାଟ ହାଇକୋର୍ଟ । ତିନି ମାସ ପାଇଁ କୋର୍ଟ ଆଶାରାମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ଆଶାରାମ ବାପୁଙ୍କ ଶୁଣାଣି ଥିବା ବେଳେ ଶୁଣାଣି ସମୟରେ ଜଷ୍ଟିସ ଇଲେଶ ବୋରାଙ୍କ ମତାମତକୁ ଜଷ୍ଟିସ ଏଏସ୍ ସୁପିହିୟା ସମର୍ଥନ କରି ଆଶାରାମଙ୍କୁ ତିନି ମାସର ଜାମିନ ପ୍ରଦାନ କରାଯାଇଛି।
ତେବେ ନିକଟରେ ସେ ୩ ମାସର ସ୍ଥାୟୀ ଜାମିନ ପାଇଁ ଆବେଦନ କରିଥିଲେ। ଗୁଜୁରାଟ ହାଇକୋର୍ଟ ଏହି ପିଟିସନର ଶୁଣାଣି କରି ଗୁରୁବାରରେ ସଂରକ୍ଷିତ ରଖିଛନ୍ତି। କହିରଖୁଛୁ ଯେ, ରାଜସ୍ଥାନର ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଷ୍କର୍ମକାରୀ ଆଶାରାମ ବାପୁଙ୍କୁ ନିକଟରେ ସୁପ୍ରିମକୋର୍ଟ ୩ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଚିକିତ୍ସା ଆଧାରରେ ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଏହି ଅବଧି ମଧ୍ୟରେ କଡା ସର୍ତ୍ତାବଳୀ ମଧ୍ୟ ଲାଗୁ ରହିବ। ଅନ୍ତରୀଣ ଜାମିନ ସମୟରେ ଆଶାରାମ ବାପୁ ତାଙ୍କ ଅନୁଗାମୀମାନଙ୍କୁ ଭେଟି ପାରିବେ ନାହିଁ। ସୁପ୍ରିମକୋର୍ଟ ତାଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।
ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଆଶାରାମ ବାପୁ ଯୋଧପୁରର ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ଅଗଷ୍ଟ ୩୧ରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ଏହାପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍ରେ ରଖାଯାଇଥିଲା। ସେବେଠୋରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।
Comments are closed.