Latest Odisha News

BREAKING NEWS

ବିରଳ ଅସ୍ତ୍ରୋପଚାର: କଟା ହାତକୁ ଜୀବନ୍ତ ରଖିବାକୁ ଗୋଡରେ ଲଗାଇଲେ ଡ଼ାକ୍ତର

ଚୀନ୍‌: ସାଧାରଣତଃ ଡାକ୍ତରମାନଙ୍କୁ ଦୁନିଆରେ ଈଶ୍ୱରଙ୍କ ମାନ୍ୟତା ଦିଆଯାଇଛି । କାରଣ ସେମାନେ ହିଁ ଶେଷ ମୁହର୍ତ୍ତରେ ରୋଗୀର ଜୀବନ ରକ୍ଷା କରନ୍ତି । କିନ୍ତୁ ଚୀନର ଏକ ଡ଼ାକ୍ତରୀଦଳ ଗୋଟିଏ ପାଦ ଆଗକୁ ଯାଇ ଏପରି କିଛି ଚମତ୍କାରିତା କରି ଦେଖାଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଅଦ୍ଭୁତ ମନେ କରିବେ । ଏହି ଡାକ୍ତରୀ ଦଳ ପ୍ରଥମେ ରୋଗୀର କଟା ହାତକୁ ତାଙ୍କ ଗୋଡରେ ଲଗାଇଛନ୍ତି ଏବଂ ମାସକ ପରେ ଏହାକୁ ଠିକ୍ ସ୍ଥାନରେ ସଂଯୋଗ କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଚୀନର ଏକ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀଙ୍କ ବାମ ହାତ ମେସିନ୍‌ରେ କଟିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କଟା ହାତକୁ ଜୀବିତ ରଖିବା ପାଇଁ ଡାକ୍ତରମାନେ ତୁରନ୍ତ ଅପରେସନ କରି ରୋଗୀର ଗୋଡରେ ଲଗାଇ ଦେଲେ । ଯାହାଫଳରେ ହାତକୁ ଗୋଡର ଧମନୀରୁ ରକ୍ତ ଯୋଗାଣ ହେବ ଓ ଜୀବନ୍ତ ରହିବ । ଗୋଡରେ ଲାଗିଥିବା ଏହି ହାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରକୃତରେ ଏପରି ହୋଇପାରେ ବୋଲି ବିଶ୍ୱାସ କରି ପାରୁ ନାହାନ୍ତି । ଗୋଡରେ ଅସ୍ତ୍ରୋପଚାର ବେଳେ ହାତରୁ ରକ୍ତ ବାହାରୁଥିଲା, କିନ୍ତୁ ଏଥିରେ କୌଣସି ସ୍ନାୟୁ ସଂଯୁକ୍ତ ନଥିଲା, ତେଣୁ ଏହା ଅସ୍ଥିର ରହିଥିଲା । କିନ୍ତୁ ଗୋଡର ଅବସ୍ଥା ସ୍ୱାଭାବିକ ଥିଲା ।

ମାସକ ପରେ ଡାକ୍ତରମାନେ ପୁନର୍ବାର ଅସ୍ତ୍ରୋପଚାର କରି ରୋଗୀର ହାତକୁ ବାମ ହାତରେ ସଂଲଗ୍ନ କରିଥିଲେ । ଡ଼ାକ୍ତରଖାନାରୁ ଡିସଚାର୍ଜ ହେବା ପରେ ବ୍ୟକ୍ତି ତାଙ୍କ ହାତ ହଲାଇବା ସହ ବଙ୍କା କରିବାରେ ସକ୍ଷମ ହୋଇଥିଲେ । ଡାକ୍ତରମାନେ କହିଛନ୍ତି ଯେ, ଗୋଟିଏ ମାସ ଗୋଡରେ ଲାଗି ରହିଥିବାରୁ ହାତର ସ୍ନାୟୁ ପ୍ରକ୍ରିୟା କମିଯାଇଛି । ତେଣୁ ରୋଗୀର ହାତ ସମ୍ପୂର୍ଣ୍ଣ ସକ୍ରିୟ ହେବାକୁ ଅତି କମରେ ୬ ମାସ ସମୟ ଲାଗିବ । ଏହି ବିରଳ ଅସ୍ତ୍ରୋପଚାର ସଫଳ ହେବା ପରେ ଡ଼ାକ୍ତରୀଦଳକୁୁ ବହୁତ ପ୍ରଶଂସା କରାଯାଇଛି ।

Comments are closed.