ପୁରୀ: ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ । ଏହି ତିଥି ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥାଏ କାଠ । ଏହି କାଠର ଲମ୍ବ ୧୨ ଫୁଟର ହୋଇଥାଏ । ତାକୁ ଧଉରା କାଠ ବୋଲି କୁହାଯାଏ । ଏହି କାଠକୁ ଶ୍ରୀ ପଞ୍ଚମୀ ଦିନ ଅର୍ଥାତ୍ ଆଜି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜା କରାଯିବ ।
ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ତେବେ ଆସନ୍ତା ରାମନବମୀ ତିଥିରେ ଅନୁକୂଳ କରାଯାଇ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବ । ଓ ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନିରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
Comments are closed.