Rath Yatra 2026: ବଡଦାଣ୍ଡକୁ ଓହ୍ଲାଇବ କାଳିଆ ସୁନା, ଅଭେଦ୍ୟ ସୁରକ୍ଷା ବଳୟରେ ଏଥର ରଥଯାତ୍ରା! ମୁତୟନ ହେବେ ୧୫ ଅର୍ଦ୍ଧସାମରିକ କମ୍ପାନୀ, ଭିଡ଼, ଟ୍ରାଫିକ୍ ଓ ପରିମଳ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ
ପୁରୀ: ଭକ୍ତଙ୍କ ଗହଣକୁ ଆସିବ ଭାବୋବିନୋଦିଆ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବଡ ଦାଣ୍ଡକୁ ଓହ୍ଲାଇବ କାଳିଆ ସୁନା । ସେଥିପାଇଁ ଚଳଚଞ୍ଚଳ ହେଲାଣି ପୁରୀ ସହର । ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ୨୦୨୬ ରଥଯାତ୍ରା ଆସନ୍ତା ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୪ ପର୍ଯ୍ୟନ୍ତ ଚାଲିବ। ୯ ଦିନିଆ ଏହି ମହାପର୍ବରେ ଦେଶ-ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ କରିବେ। ଏଥର ରଥଯାତ୍ରାକୁ କେବଳ ଧାର୍ମିକ ଉତ୍ସବ ଭାବେ ନୁହେଁ, ବରଂ ସୁରକ୍ଷା, ଜନସମାଗମ ନିୟନ୍ତ୍ରଣ ଓ ଦୁର୍ଘଟଣା ରୋକିବା ଦୃଷ୍ଟିରୁ ପ୍ରଶାସନ ସର୍ବାଧିକ ଗୁରୁତ୍ୱ ଦେଇଛି।
ଗୁରୁତ୍ୱପୂର୍ଣ୍ଣ ତାରିଖ
- ଜୁଲାଇ ୧୬, ୨୦୨୬ – ରଥଯାତ୍ରା
- ଜୁଲାଇ ୨୪, ୨୦୨୬ – ବାହୁଡ଼ା ଯାତ୍ରା
- ଜୁଲାଇ ୨୫, ୨୦୨୬ – ସୁନାବେଶ
- ଜୁଲାଇ ୨୭, ୨୦୨୬ – ନୀଳାଦ୍ରି ବିଜେ
ଗତବର୍ଷ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଘଟଣାକୁ ଧ୍ୟାନରେ ରଖି ଏଥର ପ୍ରଶାସନ ପୂର୍ବ ତ୍ରୁଟି ଦୂର କରିବା ସହ ବହୁ ନୂଆ ବ୍ୟବସ୍ଥା କରିଛି। ରାଜ୍ୟ ସରକାର, ପୋଲିସ, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସୁରକ୍ଷା ସଂସ୍ଥା ସମନ୍ୱୟରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଉଛି।
ରଥଯାତ୍ରା ସମୟରେ ୧୫ଟି ଅର୍ଦ୍ଧସାମରିକ ବାହିନୀ କମ୍ପାନୀ ଓ ୧୫ ହଜାରରୁ ଅଧିକ ଓଡ଼ିଶା ପୋଲିସ କର୍ମଚାରୀ ମୁତୟନ ହେବେ। ସେମାନଙ୍କ ସହ NSG କମାଣ୍ଡୋ, ରାପିଡ୍ ଆକ୍ସନ ଫୋର୍ସ (RAF) ଓ ଓଡ୍ରାଫ୍ (ODRAF)-ର ମୋଟ ୧୦ଟି ପ୍ଲାଟୁନ ସୁରକ୍ଷା ଦାୟିତ୍ୱରେ ରହିବେ।
ରଥଯାତ୍ରା ମାର୍ଗକୁ ଡେଞ୍ଜର ଜୋନ୍, ସେନ୍ସିଟିଭ୍ ଜୋନ୍ ଓ VVIP ଜୋନରେ ବିଭକ୍ତ କରାଯାଇଛି। ଭିଡ଼ପୂର୍ଣ୍ଣ ସ୍ଥାନ, ପ୍ରମୁଖ ଛକ ଓ VVIP ରୁଟ୍ରେ ଅର୍ଦ୍ଧସାମରିକ ବାହିନୀର ସ୍ୱତନ୍ତ୍ର ମୁତୟନ ହେବ। ହୋଟେଲ, ଗେଷ୍ଟହାଉସ୍ ଓ ସାର୍ବଜନୀନ ସ୍ଥାନରେ ନିୟମିତ ଯାଞ୍ଚ ଚାଲିବ।
ଶ୍ରୀମନ୍ଦିରର ଚାରିଟି ପ୍ରବେଶ ଦ୍ୱାରରେ ନୂଆ ବ୍ୟାଗେଜ୍ ସ୍କାନର ଲଗାଯାଉଛି। ପ୍ରବେଶ ପୂର୍ବରୁ ଭକ୍ତମାନଙ୍କ ସାମଗ୍ରୀର ସ୍କାନିଂ କରାଯିବ। ପୂର୍ବରୁ ଥିବା ମେଟାଲ ଡିଟେକ୍ଟରକୁ ପୁଣି ସକ୍ରିୟ କରାଯାଇଛି ଓ ସୁରକ୍ଷା କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ପାଇଁ ସିଂହଦ୍ୱାର ଥାନା ନିକଟରେ ଏକ ସ୍ୱତନ୍ତ୍ର ସୁରକ୍ଷା ଯାନ ମୁତୟନ କରାଯିବ।
ଚଳିତ ବର୍ଷ ରଥଯାତ୍ରାରେ ପ୍ରଯୁକ୍ତିକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ବଡ଼ଦାଣ୍ଡ ସମେତ ସମଗ୍ର ରଥଯାତ୍ରା ମାର୍ଗରେ ୨,୦୦୦ରୁ ଅଧିକ CCTV କ୍ୟାମେରା ଲଗାଯାଇଛି। ସବୁ କ୍ୟାମେରାକୁ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ରୁ ୨୪ ଘଣ୍ଟା ନଜର ରଖାଯିବ।
ଡ୍ରୋନ ମାଧ୍ୟମରେ ଭିଡ଼ ଓ ସୁରକ୍ଷା ଉପରେ ନଜର ରଖାଯିବା ସହ ଆଣ୍ଟି-ଡ୍ରୋନ ସିଷ୍ଟମ୍ ମଧ୍ୟ ମୁତୟନ ହେବ। କୌଣସି ସନ୍ଦିଗ୍ଧ ଡ୍ରୋନ ଦେଖାଦେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ।
ଇମିଡିଏଟ ବ୍ୟାକଅପ୍ ସିକ୍ୟୁରିଟି (IBUS) ଟିମ୍କୁ ୨୪ ଘଣ୍ଟା ଆଲର୍ଟରେ ରଖାଯାଇଛି। ସହରରେ ନିୟମିତ ପାଟ୍ରୋଲିଂ ହେବ। K-9 ଡଗ୍ ସ୍କ୍ୱାଡ୍ ରେଳ ଷ୍ଟେସନ୍, ବସ୍ଷ୍ଟାଣ୍ଡ, ଶ୍ରୀମନ୍ଦିର ପରିସର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ସନ୍ଦିଗ୍ଧ ସାମଗ୍ରୀ ଯାଞ୍ଚ କରିବ। ସମୁଦ୍ରପଥରୁ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଭାରତୀୟ କୋଷ୍ଟଗାର୍ଡକୁ ମଧ୍ୟ ଆଲର୍ଟ ରଖାଯାଇଛି।
ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ଗୁଗୁଲ୍ ମ୍ୟାପ୍ ସହ ସମନ୍ୱୟ କରିଛି। ନିଷିଦ୍ଧ ରାସ୍ତା ଓ ଭିଡ଼ପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ମ୍ୟାପରେ ଚିହ୍ନଟ କରାଯିବ। ଯାତ୍ରୀମାନେ GPS ମାଧ୍ୟମରେ ବିକଳ୍ପ ରାସ୍ତାର ସୂଚନା ପାଇପାରିବେ। ରଥଯାତ୍ରା ଓ ସୁନାବେଶ ଦିନ ଲାଇଭ୍ ଟ୍ରାଫିକ୍ ଆଡଭାଇଜରି ମଧ୍ୟ ଜାରି କରାଯିବ। ଏହାଛଡ଼ା ୨୫୦ରୁ ଅଧିକ ପୋଲିସ ବଟାଲିୟନ୍ ଓ ୩ ହଜାର ହୋମଗାର୍ଡ ଟ୍ରାଫିକ୍, ପାର୍କିଂ ଓ ଭକ୍ତଙ୍କ ଯାତାୟାତକୁ ସୁଚାରୁ କରିବେ।
ସେପଟେ ଭକ୍ତମାନଙ୍କ ସୁବିଧା ପାଇଁ ବଡ଼ଦାଣ୍ଡରେ ୧,୦୦୦ ଅସ୍ଥାୟୀ ଶୌଚାଳୟ ଓ ସମଗ୍ର ପୁରୀ ସହରରେ ମୋଟ ୧,୬୦୦ ଅସ୍ଥାୟୀ ଶୌଚାଳୟ ସ୍ଥାପନ କରାଯିବ। ଅଗ୍ନିକାଣ୍ଡ ଓ ଅଳିଆ ଆବର୍ଜନା କମାଇବା ପାଇଁ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବିକ୍ରି ଉପରେ କଟକଣା ଲାଗିବ। ମାଗଣା ଭୋଜନ ବଣ୍ଟନ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ହେବ।
ଚଳିତବର୍ଷ ଏପ୍ରିଲ ୨୦ରୁ ରଥ ନିର୍ମାଣ ଆରମ୍ଭ ହୋଇଛି। ଆବଶ୍ୟକ ୮୬୫ଟି କାଠ ମଧ୍ୟରୁ ୫୭୬ଟି ସଂଗ୍ରହ ହୋଇସାରିଛି। ଏଥର ଅଧିକ ମଜବୁତ ରଥ ଦଉଡ଼ି ବ୍ୟବହାର କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏଥିସହିତ ସାଧାରଣ ଭକ୍ତଙ୍କ ସୁବିଧା ପାଇଁ VIP କର୍ଡନ୍ ପାସ୍ ସଂଖ୍ୟା କମାଯିବ, ଯାହାଦ୍ୱାରା ରଥ ନିକଟରେ ଭିଡ଼ ଓ ଚାପ କମିବ।
ଅପରପକ୍ଷେ ଜୁଲାଇ ମାସରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୨୩ଟି ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପିଂ ପଏଣ୍ଟ ଚିହ୍ନଟ କରାଯାଇଛି। ଜଳ ଜମିଲେ ତୁରନ୍ତ ନିଷ୍କାସନ କରାଯିବ।
ଭକ୍ତଙ୍କ ସୁବିଧା ପାଇଁ ୨୧ଟି ନୂଆ ପାର୍କିଂ ସ୍ଥାନ, ୮ଟି ଅତିରିକ୍ତ ରେଳ ଟିକେଟ୍ କାଉଣ୍ଟର ଏବଂ ୧୦ ଶଯ୍ୟା ବିଶିଷ୍ଟ ୮ଟି ଅସ୍ଥାୟୀ ହସ୍ପିଟାଲ କାର୍ଯ୍ୟକ୍ଷମ ରହିବ।
ରଥଯାତ୍ରା ବ୍ୟବସ୍ଥା ସହ ପୁରୀରେ ଦୀର୍ଘମିଆଦୀ ଉନ୍ନୟନ କାର୍ଯ୍ୟ ମଧ୍ୟ ଚାଲିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏମାର ମଠ ନିକଟରେ ଜଗନ୍ନାଥ ସଂସ୍କୃତି କେନ୍ଦ୍ର ସ୍ଥାପନ, ରଘୁନନ୍ଦନ ପାଠାଗାରକୁ ଡିଜିଟାଲ ଗବେଷଣା କେନ୍ଦ୍ରରେ ପରିଣତ କରିବା, ସେବାୟତ ପିଲାଙ୍କ ପାଇଁ ଗୁରୁକୁଳ, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ, ଗୁଣ୍ଡିଚା ମନ୍ଦିର ପରିସର, ମାଟିଆପଡ଼ା ଓଭରବ୍ରିଜ୍ ଓ ଯାତ୍ରୀନିବାସର ଉନ୍ନୟନ କାର୍ଯ୍ୟ ମଧ୍ୟ ଚାଲିଛି।
ଏଥର ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ଭୂମିଠାରୁ ଆକାଶ ପର୍ଯ୍ୟନ୍ତ ବହୁସ୍ତରୀୟ ବ୍ୟବସ୍ଥା କରାଯାଇଛି। ପ୍ରଶାସନର ଲକ୍ଷ୍ୟ ହେଉଛି, ଲକ୍ଷାଧିକ ଶ୍ରଦ୍ଧାଳୁ ଯେପରି ସୁରକ୍ଷିତ ଓ ଶୃଙ୍ଖଳିତ ପରିବେଶରେ ମହାପ୍ରଭୁଙ୍କ ଦର୍ଶନ ଓ ରଥଯାତ୍ରାର ଅନୁଭୂତି ଲାଭ କରିପାରିବେ।