ନୀଳାଚଳ ନିବାସୀ ପରମାତ୍ମା ଦାରୁବ୍ରହ୍ମ ରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳାର ରହସ୍ୟ ଭକ୍ତମାନଙ୍କୁ ଭକ୍ତିମାର୍ଗରେ ଅଗ୍ରସର ହେବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ । ସାଧାରଣ ମନୁଷ୍ୟ ପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିନଚର୍ଯ୍ୟା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ମଣିଷଟିଏ ଯେପରି ଦେହ ଧାରଣ କରିଥିବାରୁ ରୋଗ ଯନ୍ତ୍ରଣା ଭୋଗ କରିଥାଏ ସେହିପରି ମହାପ୍ରଭୁଙ୍କ ମାନବୀୟ ଲୀଳାରେ ସେହି ସମସ୍ତ ଲୀଳା ପ୍ରକଟିତ ହୋଇଥାଏ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ଉପରାନ୍ତେ ଶ୍ରୀଜୀଉମାନଙ୍କୁ ହୁଏ ଭୀଷଣ ଜ୍ୱର । ଅଣସର ପିଣ୍ଡିରେ ଶ୍ରୀଜୀଉମାନେ କରନ୍ତି ଅଣସର ନୀତି । ଦେବବୈଦ୍ୟ କରନ୍ତି ଜ୍ୱର ଯନ୍ତ୍ରଣାର ଉପଚାର । ବିଭିନ୍ନ ଗୁପ୍ତନୀତି ପାଳିତ ହୋଇଥାଏ ଯାହାକି ଆଜିଯାଏଁ ମଧ୍ୟ ଗୁପ୍ତ ହୋଇ ରହିଛି । ତେବେ କିଛି ପାରମ୍ପରିକ ନୀତି ଯାହାକି ଦଇତାପତି ସେବକମାନେ କରିଥାଆନ୍ତି ତାହାର ଆମେ ଆଲୋଚନା କରିପାରିବା ।
କରାଳ କର୍ମ – (ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ):
ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ । ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନଲେପକୁ ଅଲଗା କରାଯାଏ । ଅଲଗା ହୋଇଥିବା ପଦାର୍ଥମାନଙ୍କୁ “କରାଳ” କୁହାଯାଏ ।
ଶ୍ରୀଅଙ୍ଗ ଫିଟା:
ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ । ଶ୍ରୀଅଙ୍ଗ ଫିଟା ଓ କରାଳ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା ।
ଫୁଲରି ତେଲ ଲାଗି:
(ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ): ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି । ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।
ପଇତା ଲାଗି:
ଅଣସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ । ତାହା ଉପରେ ଚନ୍ଦନ ଲାଗି କରାଯାଏ । ଏହାକୁ ପଇତା ଲାଗି କୁହାଯାଏ । ବିଗ୍ରହରେ ଯେଉଁ ଲେପ ଦିଆଯାଏ ତାହା ଏହି ପଇତା ଲାଗି ପରେ ଦୃଢ଼ ହୋଇଥାଏ ।
ଫୁଲୁରି ଲାଗି:
ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ । ଏହାକୁ ମଧ୍ୟ ‘ଶ୍ରୀତୈଳ’ କୁହାଯାଏ । ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ । ବିଗ୍ରହଙ୍କୁ ଏହି ତେଲ ଘଷାଯାଏ ।
ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ (ଆଷାଢ଼ କୃଷ୍ଣ ଅଷ୍ଟମୀ):
ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ । ଶ୍ରୀତୈଳ ଘଷାଯିବା ପରେ କ୍ଷୀର, ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ । ଏହି ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ ‘ଶ୍ରୀକାପଡ଼ା’ କୁହାଯାଏ ।
ମସୃଣ ଲେପନ (ଆଷାଢ଼ କୃଷ୍ଣ ନବମୀ):
ଶ୍ରୀକାପଡ଼ା ବନ୍ଧାଯିବା ପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ । ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ।
ଚକା ବିଜେ (ଆଷାଢ଼ କୃଷ୍ଣ ଦଶମୀ):
ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏହି ଚକା ଉପରେ ବିଜେ କରାଯାଏ । ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ । ଦଶମୂଳ ମୋଦକ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ ।ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା ପରେ ଅଣସର ଘରେ ରହିଥିବା ଶ୍ରୀଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି । ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅବସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ। ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ପ୍ରଭୁ ଶ୍ରୀବଳଭଦ୍ର ଓ ମା ସୁଭଦ୍ରା ଅବସ୍ଥାପିତ ହୁଅନ୍ତି ।
ଚନ୍ଦନ ଲାଗି: (ଆଷାଢ଼ କୃଷ୍ଣ ଏକାଦଶୀ):
ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଠାକୁରମାନେ ସୁସ୍ଥ ହୋଇ ଆସୁଥିବାରୁ ଏକାଦଶୀ ଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ ।
ଖଡ଼ି ଲାଗି:
ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ ।
ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ ( ଆଷାଢ଼ କୃଷ୍ଣ ଦ୍ୱାଦଶୀ):
ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ । ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ । ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ । ଏହାକୁ ନିର୍ମାଲ୍ୟ କୁହାଯାଏ । ୟାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି ।
ଅଣସର ତ୍ରୟୋଦଶୀ (ଆଷାଢ଼ କୃଷ୍ଣ ତ୍ରୟୋଦଶୀ):
ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ । ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ । ଏବଂ ଶଙ୍ଖକୁ ପୋଡି ଯେଉଁ ଭସ୍ମ ବାହାରେ ତାହା ଖଡ଼ି ପ୍ରସାଦ ଭାବେ ବିଦିତ ।
ବନକ ଲାଗି (ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ):
ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି । ବନକ ଲାଗିରେ ଶ୍ରୀଜୀଉମାନଙ୍କର ରୂପ କାମ କରାଯାଏ ।
ଚକା ଅସରପ:
ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ । ଏହାକୁ ଚକା ଅସରପ ନୀତି କୁହାଯାଏ । ଏହି ଦିନ ହିଁ ଅଣସରରର ଶେଷ ଦିବସ ।
ନବଯୌବନ ଦର୍ଶନ (ଆଷାଢ଼ ଅମାବାସ୍ୟା ଉଭା ଅମାବାସ୍ୟା):
ଏହିଦିନ ନୂତନ ଚିତ୍ରିତ ଠାକୁରମାନେ ସର୍ବସାଧାରଙ୍କୁ ଦର୍ଶନ ଦିଅନ୍ତି।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ( ମୋବାଇଲ: 9437225434 )
(ଲେଖକ ଜଣେ ପ୍ରତିଷ୍ଠିତ ଜ୍ୟୋତିର୍ବିଦ, ପ୍ରଖ୍ୟାତ ପ୍ରବଚକ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.