Latest Odisha News

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ଓଡ଼ିଆ ସମାଜ ଦ୍ୱାରା ରଥଯାତ୍ରା ପାଳିତ

ରୋଡସ୍ ଆଇଲ୍ୟାଣ୍ଡ : ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରକୁ ଖୁବ ଭବ୍ୟ ଢଙ୍ଗରେ ସଜ୍ଜାଯାଇଥିଲା। ଏଠାରେ ସକାଳେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କର ତତ୍ତ୍ଵାବଧାନରେ ମଙ୍ଗଳ ଆରତୀ, ହୋମ ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା ତଥା ନିତିକାନ୍ତି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା।

ରୋଡସ୍ ଆଇଲ୍ୟାଣ୍ଡରେ ଷଷ୍ଠ ଥର ପାଇଁ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ଦିନ ସାଢ଼େ ୧୧ ବେଳେ ଭଜନ କୀର୍ତ୍ତନର ଗହ ଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନି ତଥା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ସେବାୟତ ଓ ସଂଗଠକମାନେ ପହଣ୍ଡି କରି ୧୫ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ସିଂହାସନରେ ଆସୀନ କରାଇଥିଲେ। ବିଶିଷ୍ଟ ସମାଜସେବୀ ଶୁଭ୍ରାଂଶୁ ମହାନ୍ତି ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଅପରାହ୍ନ ୧ଟା ବେଳେ ରଥ ଟଣା ଆରମ୍ଭ କରାଯାଇଥିଲା। ଏଠାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ନଚାଇ ନଚାଇ ରଥ ନିକଟକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ରଥଟିକୁ ହିନ୍ଦୁ ମନ୍ଦିରର ଚର୍ତୁପାର୍ଶ୍ଵରେ ଦେଢ଼ କିଲୋମିଟର ଦୂର ପର୍ଯ୍ୟନ୍ତ ବୁଲାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ଏହାପରେ ଦିଅଁ ମାନଙ୍କୁ ପୁରୀ ଆନନ୍ଦବଜାର ଶୈଳୀରେ ପ୍ରସ୍ତୁତ ସ୍ୱାଦିଷ୍ଟ ମହାପ୍ରସାଦ ଭୋଗ ଲଗାଯାଇଥିଲା ଏବଂ ଏହାକୁ ଆଗନ୍ତୁକ ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ପ୍ରଜ୍ଞାନ ବେହେରା, ସୁନୀଲ କୁମାର ଦୁଦା ଓ ମୁନମୁନ ଦାସଙ୍କ ଦ୍ଵାରା  ସୁମଧୁର ଭଜନ ଗାୟନ ଏବଂ  ରଥ ସମ୍ମୁଖରେ ରୀନା ଦାଶଙ୍କ ଦ୍ଵାରା ମନଲୋଭା ଓଡ଼ିଶୀ ନୃତ୍ୟ ପରିବେଷଣ ସାମିଲଥିଲା। ମୁନମୁନ ଦାସ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଉପସ୍ଥାପନା ଓ ସଂଯୋଜନା କରିଥିଲେ। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତିଙ୍କର ସାମଗ୍ରିକ ତତ୍ତ୍ଵାବଧାନରେ ଆୟୋଜିତ ରଥଯାତ୍ରାକୁ ବିପୁଳ ସଫଳ କରାଇବାରେ ସୁଦକ୍ଷ ସଂଗଠକ ଯଥା ମଣି ମହାପାତ୍ର, ସିମ୍ମି ମହାପାତ୍ର, ସରୋଜ ବେହେରା, ରଂଜିତ ବେହେରା, ଚନ୍ଦ୍ର ନାୟକ, ଶ୍ରଦ୍ଧା ନାୟକ, ଦିଗବିଜୟ ମହାପାତ୍ର, ଅରୁଣା ମହାପାତ୍ର, ବିଶ୍ଵ ପଟ୍ଟନାୟକ, ଲୀନା ପଟ୍ଟନାୟକ, ସୁକାନ୍ତ ପାତ୍ର, ଶଶି ମହାନ୍ତି, କଳ୍ପନା ମହାନ୍ତି, ବିଷ୍ଣୁପ୍ରିୟା ବଳ, କରୁଣା ମେହେଟ୍ଟା, ପଙ୍କଜ ପଣ୍ଡା ଓ ସୌମ୍ୟଶ୍ରୀ ଦାଶ ପ୍ରମୁଖ  ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ।

Leave A Reply

Your email address will not be published.