Latest Odisha News

BREAKING NEWS

ରଥାରୁଢ଼ ଦିଅଁଙ୍କୁ ଦେଖି ଭାବ ବିହ୍ଵଳ ହେଲେ ମୁଖ୍ୟମନ୍ତ୍ରୀ; ସୋସିଆଲ ମିଡିଆରେ ସେୟାର କଲେ ଏହି ପୋଷ୍ଟ

ପୁରୀ: ”ତୋର ଚକା ନୟନକୁ ଦେଲେ ଅନେଇ ଆସେ ଲୁହ ଘନେଇ” । ଓଡ଼ିଆ ଭଜନର ଏହି ପଂକ୍ତିଟି ରଥାରୁଢ଼ ଦିଅଁଙ୍କୁ ଦେଖିବା ପରେ ପ୍ରତ୍ୟେକ ଓଡ଼ିଆର ମନୋଭାବକୁ ପରିପ୍ରକାଶ କରେ। ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ଏହି ଜାତିର ଗରିମା ଓ ଅହଂକାରର ବାର୍ତ୍ତା ବହନ କରିଥିବା ମହାପ୍ରଭୁଙ୍କର ଆଜି ହେଉଛି ଘୋଷଯାତ୍ରା । ବିନା ଭକ୍ତରେ ଗଡୁଛି ତିନି ରଥ । ଭକ୍ତ ବତ୍ସଳ ଭଗବାନଙ୍କୁ ଆଜି ଟାଣି ନେଉଛନ୍ତି ହାତଗଣତି ସେବାୟତ ଓ ସୁରକ୍ଷାକର୍ମୀ । ଜଗନ୍ନାଥ ପ୍ରେମୀ ମାନେ ଘରେ ବସି ସିଧାପ୍ରାସରଣ ଜରିଆରେ ଭଗବାନଙ୍କ ଦର୍ଶନ କରୁଛନ୍ତି । ରଥରେ କଳା ବାମନଙ୍କୁ ଦେଖି ଖୁସିରେ ଛାତିରେ କୋହ ଓ ଆଖିରେ ଲୁହ ଜକେଇ ଆସୁଛି। ଖାଲି ସାଧାରଣ ଜନତା ନୁହେଁ ରଥରେ ମହାପ୍ରଭୁଙ୍କୁ ଦେଖି ଭାବ ବିହ୍ଵଳ ହୋଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭାବ ବିହ୍ବଳ ହୋଇ ନବୀନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ” ବୋଲି ନବୀନ ନିଜ ଟ୍ୱିଟରେ ଲେଖିଛନ୍ତି ।

Leave A Reply

Your email address will not be published.