(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦିବ୍ୟ ଆୟୁଧ ଚକ୍ରରାଜ ସୁଦର୍ଶନ, ‘ସୁ’ ଓ ଦର୍ଶନ ଦୁଇଟି ଶଦ୍ଦର ଆଧାରରେ ସୃଷ୍ଟି ସୁଦର୍ଶନ । ବାମନ ପୂରାଣ କୁହେ, ବିଶ୍ୱକର୍ମା ସବୁ ଦେବତାଙ୍କ ତେଜରୁ ସାର ଗ୍ରହଣ କରି ଏହି ଚକ୍ର ତିଆରି କରିଥିଲେ । ଏହା ସେ ମହାଦେବଙ୍କୁ ଦେଇଥିଲେ, ପରେ ଦୈତ୍ୟ ମାନଙ୍କ ବିନାଶ ଲାଗି ମହାଦେବ ବିଷ୍ଣୁଙ୍କୁ ଏହି ଚକ୍ର ପ୍ରଦାନ କଲେ । ଅନ୍ୟ ଏକ ମତରେ, ଏକଦା ସୂର୍ଯ୍ୟଦେବ ନିଜର ତେଜକୁ ପ୍ରଶମିତ କରିବା ପାଇଁ ପାର୍ଥନା କରିବାରୁ ବିଷ୍ଣୁ ସୂର୍ଯ୍ୟଙ୍କର ତେଜରୁ କିଛି ଅଂଶ ପୃଥକ କରିଦେଲେ । ସେହି ପୃଥକ ହୋଇଥିବା ତେଜ ତିନି ଭାଗରେ ବିଭକ୍ତ ହୋଇ ବିଷ୍ଣୁଙ୍କର ସୁଦର୍ଶନ, ରୂଦ୍ରଙ୍କର ତ୍ରିଶୂଳ , ଓ ଇନ୍ଦ୍ରଙ୍କର ବଜ୍ର ରୂପରେ ପ୍ରକଟିତ ହେଲେ ।
ତେବେ ମହାଭାରତର ବର୍ଣ୍ଣନା ଅନୁସାରେ ଖାଣ୍ତବ ବନ ଦହନ ସମୟରେ କୃଷ୍ଣ ଓ ଅର୍ଜୁନ ଅଗ୍ନିଦେବତାଙ୍କୁ ସହାୟତା କରିଥିବାରୁ ସେ ଖୁସି ହୋଇ ଶ୍ରୀକୃଷ୍ଣଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ସୁଦର୍ଶନ ହେଉଛନ୍ତି ଦେବମୟ ସ୍ତମ୍ଭ ସ୍ୱରୂପ । ସେ ହିଁ ଅଥର୍ବ ବେଦର ବର୍ଣ୍ଣିତ ସ୍ତମ୍ଭ ଉପାସନାର ପ୍ରତୀକ ।
ସୂତ ସଂହିତା ଅନୁସାରେ ସୁଦର୍ଶନ ହିଁ ବିଷ୍ଣୁଙ୍କର ତେଜୋଦୀପ୍ତ ଆୟୁଧ । ତେବେ ଦାରୁ ମୁର୍ତ୍ତି ତତ୍ତ୍ୱରେ ସୁଦର୍ଶନ ଆଦିମୁର୍ତ୍ତି । ବଡଦେଉଳରେ ଚତୁର୍ଦ୍ଧାମୁର୍ତ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହିତ ସୁଦର୍ଶନ ବିରାଜିତ ଅଛନ୍ତି ।
ଶ୍ରୀମନ୍ଦିରର ସମସ୍ତ ବିଜେ ଓ ରୀତିନୀତିରେ ସୁଦର୍ଶନଙ୍କ ବିଜେ ପ୍ରଥମେ ହୋଇଥାଏ । ନବକଳେବର ସମୟରେ ଦାରୁ ସନ୍ଧାନ, ଛେଦନ ଓ ଦିଅଁ ନିର୍ମାଣ ସମୟରେ ସୁଦର୍ଶନଙ୍କ ବିଗ୍ରହ ନିର୍ମାଣ ସର୍ବପ୍ରଥମେ ଆରମ୍ଭ ହୋଇଥାନ୍ତି ।
ତତ୍ ପରେ ଅନ୍ୟବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ସଂପନ୍ନ ହୁଏ । ସୁଦର୍ଶନଙ୍କୁ ବହୁବିଧ ଅସ୍ତ୍ରମାନଙ୍କ ଆକାର ହେତୁ ଚକ୍ରାକାର ନ ହୋଇ ସ୍ତମ୍ଭାକାର ହେବା ନୀଳାଦ୍ରୀ ମହୋଦୟରେ ଉଲ୍ଲେଖ ଅଛି । ତିନି ଯୁଗରେ ସୁଦର୍ଶନ ଗୋଲାକାର । କିନ୍ତୁ କଳି ଯୁଗରେ ସ୍ତମ୍ଭାକାର । ଶ୍ରୀମନ୍ଦିର ଚୁଡାରେ ମଧ୍ୟ ଏହି ଚକ୍ରର ଧାତୁମୟ ପ୍ରତିକୃତି ରହିଛି । ଜୟ ଜଗନ୍ନାଥ
Comments are closed.