ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ବୁଧବାର ଦିନ ଅର୍ଥାତ୍ ୨୭ ଅଗଷ୍ଟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ନେଇଛନ୍ତି।
ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୫ଟି ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର କିଙ୍ଗସ, ରାଇଜିଂ ପୁଣେ ସୁପର ଜାଏଣ୍ଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି। ତେବେ ସେ ତାଙ୍କ ୧୬ ବର୍ଷର କ୍ୟାରିୟରରେ ୨୨୧ଟି ମ୍ୟାଚ୍ ଖେଳି ୮୩୩ ରନ କରିବା ସହ ୧୮୭ ୱିକେଟ ନେଇଛନ୍ତି। ଏଥିସହିତ ସେ ଆଇପିଏଲରେ ୫ମ ସର୍ବାଧିକ ୱିକେଟ ନେଇଥିବା ଖେଳାଳି ଭାବରେ ମଧ୍ୟ ଖୁବ୍ ପରିଚିତ।
ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ଆଇପିଏଲ କ୍ୟାରିୟରରେ ବ୍ୟାଟିଂ, ବୋଲିଂ, ଅଧିନାୟକତ୍ୱ କରିବା ସହ ତାଙ୍କର କ୍ରାନ୍ତିକାରୀ ନିଷ୍ପତ୍ତି ପାଇଁ ମଧ୍ୟ ପରିଚିତ। ମାଙ୍କଡିଙ୍ଗ୍ ବର୍ତ୍ତମାନ୍ ରନ ଆଉଟ୍ ଭାବରେ ପରିଚିତ କିନ୍ତୁ ଏଥିରେ ଅଶ୍ୱିନଙ୍କର ମଧ୍ୟ ଏକ ବଡ଼ ଯୋଗଦାନ ରହିଛି।
ଆଇପିଏଲ ୨୦୧୯ରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସକୁ ନନ୍-ଷ୍ଟ୍ରାଇକର ଏଣ୍ଡରେ ଅର୍ଥାତ୍ ମାଙ୍କଡିଙ୍ଗ୍ ରେ ରନ ଆଉଟ୍ କରିଥିଲେ। ପରେ କ୍ରିକେଟ ଖେଳ ଉପରେ ଅନେକ ପ୍ରଶ୍ନ ଉଠିଥିଲା ଯେଉଁଥିରେ ଖେଳାଳି, ସମାଲୋଚକ ଏବଂ ବିସିସିଆଇ ଅଧିକାରୀଙ୍କ ମତ ବିଭାଜିତ ହୋଇଥିଲା। ତେବେ ଅଶ୍ୱିନ ସର୍ବଦା ଏହି ନିୟମ ସପକ୍ଷରେ ରହିଆସିଛନ୍ତି। ପରେ ଏହି ବିତର୍କକୁ ଶେଷ କରି ICC ବର୍ତ୍ତମାନ୍ ଏହି ‘ମାଙ୍କଡିଙ୍ଗ୍’କୁ ରନ ଆଉଟ୍ ବର୍ଗରେ ରଖିଛି।
ସେହିପରି ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ସମୟରେ ରବିଚନ୍ଦ୍ରନ ଅଶ୍ୱିନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ରିଟାୟର୍ଡ ଆଉଟ୍ ହୋଇଥିଲେ। ଏହି ମ୍ୟାଚରେ ସେ ୨୩ ବଲ୍ ଖେଳି ୨୮ ରନ ମଧ୍ୟ କରିଥିଲେ।
Comments are closed.