Latest Odisha News

BREAKING NEWS

ବିପଦ ଡାକୁଛି ନାଗାବଳୀ ନଦୀ, ଅନିଶ୍ଚିତତା ଘେରରେ ୨୩ ଗାଁ

ରାୟଗଡା : ବିପଦ ଡାକୁଛି ନାଗାବଳୀ ନଦୀ । ଅନିଶ୍ଚିତତା ଘେରରେ ୨୩ ଗାଁ । କଲ୍ୟାଣି ଏବଂ ନାଗାବଳୀ ନଦୀର ସଙ୍ଗମସ୍ଥଳ କଲ୍ୟାଣସିଂପୁରକୁ ଆଣିଦେଇଛି ବିପତ୍ତି । କେଉଁ ମୁହୁର୍ତ୍ତରେ ନଦୀ ଗର୍ଭରେ ଲୀନ ହୋଇଯିବ ଏହି ଗାଁ ତାହା କହିହେବନି । ଦଶନ୍ଧି ଧରି ଗାଁର ଲୋକେ ଏମିତି ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି । ହେଲେ ନିଘା ନାହିଁ ପ୍ରଶାସନର । କେଉଁ ରାତିର ଅନ୍ଧାରରେ ଗାଁ ଗୁଡିକ ନଦୀ ଗର୍ଭରେ ବିଲୀନ ହେବ ସେକଥା କାହାକୁ ଜଣାନାହିଁ ।

ଏହି ଗୁହାରୀ ନେଇ ନାଗାବଳୀ ନଦୀ ଅବବାହିକାର ଗାଁ ଲୋକେ ଥରଥର କରି ନେତା ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରିଙ୍କ ପର୍ଯ୍ୟନ୍ତ କେତେ ଗୁହାରି କରିଛନ୍ତି । ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ନିଜର ଭିଟାମାଟିକୁ ବଞ୍ଚାଇବା ପାଇଁ କେତେ ଯେ ନେହୁରା ହୋଇଛନ୍ତି । ଆଖି ଆଗରେ ଶହ ଶହ ଏକର ଚାଷ ଜମିର ନଦୀର ସୁଅରେ ଚାଲିଯାଇଛି । କୋଲନରା ବ୍ଲକର ୪ ଏବଂ ରାୟଗଡା ବ୍ଲକ ୩ଟି ପଞ୍ଚାୟତର ପ୍ରାୟ ୧୦ଟି ଗାଁ ପ୍ରତି ଏହି ନଦୀର ବନ୍ୟପାଣି ଦ୍ୱାରା ବିପଦ ରହିଛି ।ଅପରପକ୍ଷରେ ଗତ ୨୦୧୭ ମସିହା ନାଗାବଳୀ ନଦୀ ପ୍ରଳୟଙ୍କରୀ ବନ୍ୟାରେ ନଦୀଶଯ୍ୟାରେ ବାଲି ଓ ପଙ୍କ ଛାଡିଯାଇଥିବାରୁ ନଦୀଗର୍ଭ ପୂର୍ବ ତୁଳନାରେ ପ୍ରାୟ ୧୦ରୁ ୧୨ ଫୁଟ ଉଚ୍ଚ ହୋଇଯାଇଛି । ପରିଣାମ ସଦୃଶ୍ୟ ନଦୀର ଗଭୀରତା ହ୍ରାସ ପାଇଥିବା ବେଳେ ବେଳେ ସମାନ୍ୟ ବର୍ଷାରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି । ଗାଁ ମୁଣ୍ଡରେ କଲ୍ୟାଣି ଏବଂ ନାଗାବଳୀ ଦୁଇ ବଡନଦୀର ସଙ୍ଗମ ରହିଥିବାରୁ ଗୋଟିଏ ପାଣି ଉଚ୍ଛୁଳିଲେ ଗୋଟିଏ ନଦୀର ପାଣି ଅନ୍ୟ ନଦୀରେ ମିସିପାରୁ ନାହିଁ । ଫଳରେ ନଦୀଗର୍ଭ ଫୁଲି ଗାଁ ଆଡକୁ ମାଡିଆସି ନିଦ ହଜାଇଦେଇଛି କଲ୍ୟାଣସିଂହପୁର ଗ୍ରାମବାସୀଙ୍କ ।ନଦୀରେ ୧୯୪୦ ମସିହା ପରେ ୧୯୯୨ ଓ ୨୦୦୭ ଏବଂ ୨୦୧୭ ମସିହାରେ ବନ୍ୟା ଆସିଥିଲା । ତେବେ ସବୁଥର ଅପେକ୍ଷା ୨୦୧୭ ମସିହା ପ୍ରଳୟଙ୍କରୀ ବନ୍ୟା ସବୁ ସୀମାକୁ ଟପିଯାଇଥିଲା । ଏତେ ସତ୍ଵେ ଗତ ୭ ଦସନ୍ଧି ଧରି କେହି ମଧ୍ୟ ନାଗାବଳୀ ଉପକୂଳ ବାସୀଙ୍କ ସମସ୍ୟା ଲାଘବ କରିବା ପାଇଁ ତିଳେହେଲେ ପଦକ୍ଷେପ ନେଇନାହାନ୍ତି । ନଦୀ ଶଯ୍ୟା ପୋତି ହେବା ଫଳରେ ଟିକିଏ ବର୍ଷାରେ ନଦୀ ଏବେ ଗାଁ ମୁହା । ନଦୀ ପାଶ୍ୱବର୍ତ୍ତୀ ଗାଁ ମାନଙ୍କରେ ସୁରକ୍ଷା ପାଚେରିର ଆକଳନ କରାଯାଇଥିବା କୁହାଯାଉଛି । ଅନୁଦାନ ଆସିଲେ ପଥର ବନ୍ଧ କରି ଗାଁ ଗୁଡିକୁ ସୁରକ୍ଷା ଦିଆଯିବ ବୋଲି ପ୍ରତିବର୍ଷ ବର୍ଷା ପୂର୍ବରୁ ଆଲୋଚନା ହେଉଛି, ପ୍ରତି ବର୍ଷ। ଆସୁଛି ଯାଉଛି କୁଳଖାଉଛି ଏଠାକାର ବାସିନ୍ଦାଙ୍କ ଜୀବନ ଜୀବିକା ଉପରେ ବ୍ୟପକ ପ୍ରଭାବ ପକାଉଛି ।

ନଦୀକୁଳିଆ ଲୋକଙ୍କ ସୁରକ୍ଷା ପାଇଁ ଜଳସ୍ତର ମାପିବା ପାଇଁ କୌଣସି ବ୍ୟବସ୍ଥା ନାହି କି ବର୍ଷା ଦିନରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ୱାଚ ଟାୱାର ଟିଏ ନାହିଁ । ସବୁଠାରୁ ବିସ୍ମୟର କଥାଯେ, ବଡନାଳ, ବଂଶଧାର, କଲ୍ୟାଣି, ଝଞ୍ଜାବତୀ, ଚାଉଳଧୁଆ ଫଳଫଳିଆ ଓ ନାଗାବଳୀ ଭଳି ବଡନଦୀ ଜିଲାରେ ପ୍ରବାହିତ ହେଉଥିଲେବି ଇଚ୍ଛାଶକ୍ତିର ଅଭାବରୁ ଜିଲାରେ ଗୋଟିଏ ଜଳସମ୍ପଦ ବିଭାଗର କାର୍ଯ୍ୟାଳୟଟିଏ ନାହିଁ । ଯଦ୍ୱାରା ବନ୍ୟା ପାଣିର ପରିଚାଳନା ହୋଇ ନପାରି ଲୋକେ ବନ୍ୟା ଭଳି ବିପତ୍ତିକୁ ଆପଣାଇବାକୁ ବାଧ୍ୟ ହୋଉଛନ୍ତି ।

Comments are closed.