Latest Odisha News

ବଦଳିବ ଏୟାର ଇଣ୍ଡିଆ ବିମାନର ପରିପାଟି, କାହିଁକି ହେଲା ପରିବର୍ତ୍ତନ?

ନୂଆଦିଲ୍ଲୀ: ବଦଳିବ ଦେଶର ଅଗ୍ରଣୀ କର୍ପୋରେଟ ସଂସ୍ଥା ଟାଟା ଗ୍ରୁପ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ବିମାନର ପରିପାଟି। ଏଥିସହ ନିଜ ଲୋଗୋର ପରିବର୍ତ୍ତନ କରିବା ସହିତ ବିମାନର ରୂପରେଖ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ନିକଟରେ ୪୭୦ଟି ନୂଆ ବିମାନ କିଣିବାକୁ ଅର୍ଡର ଦେଇ ଐତିହାସିକ ନିଷ୍ପତ୍ତି ନେବା ପରେ ଏହି ସଂସ୍ଥା ନିଜର ରୂପରେଖ ବଦଳାଇବାକୁ ନିଷ୍ପତ୍ତି ନେଇଛି।

ରିବ୍ରାଣ୍ଡିଂ ଅବସରରେ ଦିଲ୍ଲୀରେ ଟାଟାର ଅଧ୍ଯକ୍ଷ ଏନ ଚନ୍ଦ୍ରଶେଖରନ ନୂଆ ଲୋଗୋର ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ବିମାନ ଗୁଡିକରେ ନୂଆ ରଙ୍ଗ ସହିତ ଲୋଗୋ ଲାଗିବ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଯାତ୍ରୀମାନେ ଏହି ନୂଆ ଲୋଗୋ ଦେଖିବେ, ଯେତେବେଳେ ଏୟାର ଇଣ୍ଡିଆର ପ୍ରଥମ ଏୟାରବସ୍ ଏ୩୫୦ ବିମାନ ବିମାନ ବନ୍ଦରରେ ଅବତରଣ କରିବ।

ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ୟାମ୍ବେଲ ବିଲସନ କହିଛନ୍ତି, “ଆମର ପରିବର୍ତ୍ତନକାରୀ ନୂଆ ବ୍ରାଣ୍ଡ ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ କରିବା ପାଇଁ ଏକ ଅଭିଳାଷକୁ ପ୍ରତିଫଳିତ କରୁଛି। ନୂଆ ଏୟାର ଇଣ୍ଡିଆ ସାହସୀ, ଆତ୍ମବିଶ୍ୱାସୀ ଏବଂ ଜୀବନ୍ତ, କିନ୍ତୁ ଏହାର ସମୃଦ୍ଧ ଇତିହାସ ଏବଂ ପରମ୍ପରାରେ ଗଭୀର ଏବଂ ମୂଳଦୁଆ ପକାଇଛି ଯାହା ଭାରତୀୟ ଆତିଥ୍ୟକୁ ସେବା କ୍ଷେତ୍ରରେ ମାନକ ପାଇଁ ଏକ ବୈଶ୍ୱିକ ମାନଦଣ୍ଡରେ ପରିଣତ କରିବ ବୋଲି ସେ କହିଛନ୍ତି।

ଏୟାର ଇଣ୍ଡିଆ ୭୦ ବିଲିୟନ ଡଲାର ବିନିମୟରେ ବୋଇଂ ଓ ଏୟାରବସରୁ ୪୭୦ଟି ନୂଆ ବିମାନ କିଣିବାକୁ ଚୁକ୍ତି କରିଛି। ନଭେମ୍ବରରୁ ଏହାର ଡେଲିଭରି ଆରମ୍ଭ ହେବ।

ଚଳିତ ବର୍ଷ ଜୁନ୍ ମାସରେ ପ୍ୟାରିସ ଏୟାର ସୋ’ ଅବସରରେ ଏହି ବିମାନ କିିଣିବା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଅର୍ଡରରେ 34ଟି ଏ350-1000, 6ଟି ଏ350-900, 20ଟି ବୋଇଂ 787 ଡ୍ରିମଲାଇନର ଏବଂ 10ଟି ବୋଇଂ 777 ପ୍ଲସ୍ ବାଇଡବଡି ବିମାନ ସହିତ 140ଟି ଏୟାରବସ୍ ଏ320ନିଓ, 70ଟି ଏୟାରବସ୍ ଏ321ନିଓ ଏବଂ 190ଟି ବୋଇଂ 737MAX ନ୍ୟାରୋବଡି ବିମାନ ରହିଛି।

Comments are closed.