Latest Odisha News

BREAKING NEWS

ଯୁବତୀଙ୍କୁ ପିଟି ପିଟି ହତ୍ୟା, କାନ୍ଦ ନଶୁଣାଯିବ ବୋଲି ଜୋରରେ ମ୍ୟୁଜିକ ଲଗାଇଥିଲେ ଅଭିଯୁକ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟମାନେ ୪ ଲକ୍ଷ ଟଙ୍କାର ଅଳଙ୍କାର ଓ କିଛି ନଗଦ ଟଙ୍କା ଚୋରି କରିଥିବା ସନ୍ଦେହ କରି ପିଟିପିଟି ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ, ମାଡ ଖାଇବା ସମୟରେ ଯୁବତୀ ଜଣଙ୍କ ଜୋରରେ କାନ୍ଦୁଥିଲେ। ଆଉ ଏହି କାନ୍ଦ ଅନ୍ୟ କାହା କାନରେ ନପଡୁ ଭାବି ସମ୍ପର୍କୀୟମାନେ ଜୋରରେ ମ୍ୟୁଜିକ୍ ବଜାଇଥିଲେ।

ମୃତକଙ୍କ ନାଁ ସମିନା। ସୂଚନା ଅନୁଯାୟୀ, ମଙ୍ଗଳବାର ସେ ତାଙ୍କ ସମ୍ପର୍କୀୟ ରମେଶ (୪୦) ଓ ତାଙ୍କ ପତ୍ନୀ ହିନାଙ୍କ ଘରକୁ ପୁଅର ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ଉତ୍ସବ ପାଳନ ବେଳେ ଉଭୟଙ୍କ ଘରୁ ୪ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।

ରମେଶ ପ୍ରଥମେ ପତ୍ନୀ ହିନାଙ୍କ ଉପରେ ସନ୍ଦେହ କରିବା ସହ ତାଙ୍କୁ ନିର୍ଯାତନା ଦେଉଥିଲେ। ପରେ ସମିନାଙ୍କ ଉପରେ ସନ୍ଦେହ କରିଥିଲେ।

ଅଳଙ୍କାର ସମ୍ପର୍କରେ ରମେଶ, ହିନା ଓ ସେମାନଙ୍କ ସମ୍ପର୍କୀୟମାନେ ସମିନାଙ୍କୁ ପ୍ଲାଷ୍ଟିକ୍ ପାଇପ୍ ଓ ଏକ ବେତରେ ଆକ୍ରମଣ କରିବା ସହ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ କାଟି ଦେଇଥିଲେ। ସେମାନେ ତାଙ୍କ ସହ ଯାଇଥିବା ସମିନାଙ୍କ ସମ୍ପର୍କୀୟ ଭାଇ ଓ ସେମାନଙ୍କୁ ଘରକୁ ନେଇ ଯାଇଥିବା ଗାଡ଼ି ଚାଳକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ସମିନାଙ୍କ କାନ୍ଦକୁ ଘୋଡାଇବା ପାଇଁ ଅଭିଯୁକ୍ତମାନେ ଜୋରରେ ମ୍ୟୁଜିକ୍ ମଧ୍ୟ ବଜାଇଥିଲେ। ନିର୍ଯାତନା ଯୋଗୁଁ ସାମିନାଙ୍କ ମୃତ୍ୟୁ ହେବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ମଧ୍ୟ ମ୍ୟୁଜିକ୍ ଅନ୍ କରିଦେଇଥିଲେ। ପରେ ପଡ଼ୋଶୀମାନେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ବୁଧବାର ଘରେ ପହଞ୍ଚିବା ପରେ ଗାଜିଆବାଦ ପୁଲିସ ସମିନାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସମିନାଙ୍କ ଆହତ ସମ୍ପର୍କୀୟ ଭାଇ ଓ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆସିଷ୍ଟାଣ୍ଟ୍ ପୁଲିସ କମିସନର୍ ରବି କୁମାର କହିଛନ୍ତି ଯେ, ମୃତକଙ୍କ ଭଉଣୀଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇ ଆଠ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Leave A Reply

Your email address will not be published.