ନୂଆଦିଲ୍ଲୀ: ଆଗକୁ ଆସୁଛି ୫ଜି ଯୁଗ । ଏଥିପାଇଁ ଦେଶର ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରୁ ଜିଓ ଭାରତରେ ୫ଜି ସର୍ଭିସକୁ ରୋଲଆଉଟ କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛି। ସେପଟେ ଏୟାରଟେଲ କମ୍ପାନୀ ମଧ୍ୟ ୫ଜି ସେବା ଲଞ୍ଚ କରିବାକୁ ଯୋଜାନା କରିଛି। ଏହାରି ଭିତରେ ଜିଓ ଅନ୍ୟ କମ୍ପାନୀଠାରୁ ଦୁଇ ପାଦ ଆଗୁଆ ଚିନ୍ତା କରିଛି। ଜିଓ ୫ଜି ସେବା ଉନ୍ମୋଚନ କରିବା ସମେତ ନିଜ ଗ୍ରାହକଙ୍କ ପାଇଁ ଶସ୍ତାରେ ଲଞ୍ଚ କରିବ ୫ଜି ସ୍ମାର୍ଟଫୋନ୍। ଏଥିପାଇଁ ଚାଲିଛି ପ୍ରସ୍ତୁତି।
ଏବେ ଏପରି କୁହାଯାଉଛି ଯେ ଆସନ୍ତା ମାସ ଅକ୍ଟୋବରରେ ଭାରତୀୟ ଏୟାରଟେଲ ଓ ରିଲାଏନ୍ସ ଜିଓ ନିଜ ନିଜର ୫ଜି ସର୍ଭିସ୍ ଲଞ୍ଚ କରିବାକୁ ଯାଉଛନ୍ତି। ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୧ ତାରିଖରେ ଆନୁଷ୍ଠାନିକ ଭାବେ ୫ଜି ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି। ପ୍ରଥମେ ଦେଶର ୨୨ଟି ସହରରେ ୫ଜି ସେବା ଉନ୍ମୋଚନ କରାଯିବ।
ଏହାରି ଭିତରେ ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ପୂଜା ଉପହାର ସଦୃଶ ଶସ୍ତା ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ଚଳାଇଛି। ଜିଓ ଫୋନ୍ ୫ଜି ନାମରେ ଏହାକୁ ନାମିତ କରାଯିବ। ତେବେ ଏହି ସ୍ମାର୍ଟଫୋନ ଲଞ୍ଚ ହେବା ପୂର୍ବରୁ ଏହାର ମୂଲ୍ୟ ବିଷୟରେ ଲୋକଲୋଚନକୁ ଆସିଯାଇଛି। ଏହି ଜିଓ ୫ଜି ସ୍ମାର୍ଟଫୋନ୍ ୮ ରୁ ୧୦ ହଜାର ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ କରାଯିବ ବୋଲି ଅନୁମାନ କରାଯାଉଛି। ତେଣୁ କୁହାଯାଉଛି ଯେ ଏହା ଦେଶର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍ ହୋଇ ପାରେ।
କାଉଣ୍ଟରପଏଣ୍ଟ ରିପୋର୍ଟ ଅନୁଯାୟୀ, ଜିଓ ଭାରତରେ ଏକ ବଡ଼ ଆକାରରେ ୫ଜି ସେବା ଆରମ୍ଭ କରିବାକୁ ଯାଉଛି। ଏହାସହ ଜିଓ ୫ଜିର ରିଚାର୍ଜ ପ୍ଲାନକୁ ସୁଲଭ ମୂଲ୍ୟରେ ତଥା ଶସ୍ତା କରାଯିବ ବୋଲି କୁହାଯାଉଛି। ମାର୍କେଟ ରିପୋର୍ଟ ଅନୁଯାୟୀ, ୫ଜି ରିଚାର୍ଜ ମୂଲ୍ୟ ତୁଳନାରେ ୪ଜିର ରିଚାର୍ଜ ପ୍ଲାନ ୨୦ ପ୍ରତିଶତ ବଢିଯିବ। ଯଦି ଏପରି ହୁଏ ତେବେ ୨୦୦ ଟଙ୍କାର ୪ଜି ରିଜାର୍ଜ ପ୍ଲାନ ୨୪୦ ଟଙ୍କା ହେବ। ସେହିପରି ୫୦୦ ଟଙ୍କିଆ ପ୍ଲାନ ୬୦୦ ଟଙ୍କା ହୋଇଯିବ। ସାଧାରଣ ଭାବେ ଦେଖିବାକୁ ଗଲେ ଜିଓ ୫ଜିର ହାରାହାରି ମୂଲ୍ୟ ୧୮୮ ରୁ ୨୦୮ ଟଙ୍କା ହେବ।
ଜିଓ ୫ଜି ସ୍ମାର୍ଟଫୋନକୁ sub 6Ghz mmWave ସହିତ ଲଞ୍ଚ କରାଯାଇପାରିବ। ସୂଚନା ଥାଉକି ପୂର୍ବରୁ ମୁକେଶ ଅମ୍ବାନୀ ଜିଓ ଫୋନ୍ ୪ଜି କୁ ଲଞ୍ଚ କରିଥିଲେ। ଏହାର ମୂଲ୍ୟ ପ୍ରାୟ ୭୦୦୦ ଟଙ୍କା ଥିଲା। ଗୁଗୁଲ୍ ଏବଂ କ୍ୱାଲକମ୍ ସହଭାଗିତାରେ ଏହା ପରିଚିତ ହୋଇଥିଲା।
Comments are closed.