Latest Odisha News

୨୬/୧୧: ମନେପଡେ ସେଦିନର ଲୋମହର୍ଷଣକାରି ଘଟଣା

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ l ସମୟ ବିତିଥିଲେ ବି କ୍ଷତ ଶୁଖିନି। ବରଂ କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲଡ କାଫେରେ ରାତିସାରା ଚଳାଇଥିଲେ ସଂହାର ଲୀଳା ।

ଇତି ମଧ୍ୟରେ ଘଟଣାକୁ ବିତିଲାଣି ୧୬ ବର୍ଷ । ଆଜି ବି ସେଇ ଲୋମହର୍ଷଣକାରି ଘଟଣା ମନେପଡିଲେ ଲୋମ ଟାଙ୍କୁରି ଯାଉଛି। ୨୬-୧୧-୨୦୦୮ । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା। ଏହି ବର୍ବର ଆତଙ୍କୀଙ୍କ ଗୁଳିମାଡରେ ୧୬୬ରୁ ଅଧିକ ନିରିହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ହୋଇଥିଲେ। ତେବେ ଏକମାତ୍ର ଆତଙ୍କୀ ଜମଲ କସବକୁ ଛାଡ଼ି ବାକି ସମସ୍ତ ଆତଙ୍କବାଦୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହି ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲାଗିଥିଲା ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ ।

ନଭେମ୍ବର ୨୬ ଆସିଲେ ସମସ୍ତଙ୍କ ଆଖିକୁ ଆସିଥାଏ ମୁମ୍ବାଇ ତାଜ୍ ହୋଟେଲର ସେହି ଅଭାବନୀୟ ଦୃଶ୍ୟ। ଯେଉଁଥିରେ ତାଜ ହୋଟେଲର ଗୋଟିଏ ପାର୍ଶ୍ୱ ଆତଙ୍କବାଦୀଙ୍କ କବଜାରେ ରହିଥିଲା। ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀମାନେ ଏହି ତାଜ୍ ହୋଟେଲକୁ ଟାର୍ଗେଟ୍ କରିଥିଲେ। ଆତଙ୍କବାଦୀଙ୍କ ଗୁଳିଚୋଟର ଶିକାର ହୋଇଥିଲେ ତାଜ ହୋଟେଲର ଅନେକ ଅତିଥି। ତାଜ ହୋଟେଲକୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ଏନ୍ଏସଜି କମାଣ୍ଡୋ ମଧ୍ୟ ଲାଗି ପଡ଼ିଥିଲେ। ଦୀର୍ଘ ଚାରି ଦିନର କଠିନ ପରିଶ୍ରମ ପରେ ତାଜ ହୋଟେଲ ଆତଙ୍କବାଦୀଙ୍କ କବଳରୁ ରକ୍ଷା ପାଇଥିଲା।

ରାତିରେ ଆତଙ୍କବାଦୀମାନେ ପ୍ରଥମେ ମୁମ୍ବାଇର ଛତ୍ରପତି ଶିବାଜୀ ଷ୍ଟେସନରେ ଜନସାଧାରଣଙ୍କ ଉପରେ ଅତର୍କିତ ଭାବେ ଗୁଳିବର୍ଷଣ କରିଥିଲେ। ଯେଉଁଥିରେ ପାଖାପାଖି ୫୮ଜଣ ଲୋକ ପ୍ରାଣ ହରାଇବା ସହ ବହୁ ଲୋକ ଆହାତ ହୋଇଥିଲେ। ରେଳ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅଜମଲ ଆମିର କସାବକୁ କାବୁ କରିଥିଲା ପୋଲିସ୍। ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ତିଆରି କରିଥିଲା ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା । ଯାହାକୁ ସଫଳ କରିବାକୁ ୧୦ ଜଣ ଆତଙ୍କବାଦୀଙ୍କୁ ଜଳପଥରେ ଭାରତ ପଠାଇଥିଲା ଏହି ସଙ୍ଗଠନ । ଏହା ପୂର୍ବରୁ ଜଳପଥରେ ଆତଙ୍କୀଙ୍କ ଏଭଳି ଆକ୍ରମଣକୁ କେବେ ବି ଦେଖିନଥିଲା ଭାରତ । ଆଉ ୨୬-୧୧ ରେ ଯାହା ଘଟିଲା ତାହା ସବୁଦିନ ପାଇଁ ଭାରତ ଇତିହାସରେ ଏକ କଳାଦିନ ହୋଇ ରହିଗଲା ।

Leave A Reply

Your email address will not be published.