ଢେଙ୍କାନାଳ: ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ ଭଲ ପାଉଥିବା ସାଧାରଣ ପିଲାଟିଏ । ବୟସ ମାତ୍ର ୧୨ ବର୍ଷ । ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ସେ ଥିଲେ ଲକ୍ଷ ଲକ୍ଷ ଦୀପ ଶିଖାର ଉତ୍ସ । ଯାହାଙ୍କ ଛୋଟ ଧମନୀର ଥିଲା ବିରାଟ ସାହସ । ପ୍ରଜାମେଳି ଆଦେଶକୁ ରକ୍ଷା କରିବାକୁ ଯାଇ ଇଂରେଜର ତୋପ ବର୍ଷାରେ ଯିଏ ଦେଖାଇଦେଇଥିଲା ତା’ର କୁନି ଆଜି ସେହି ଟିକି ବୀର ସହିଦଙ୍କ ଜନ୍ମ ବାର୍ଷିକୀ ।
ବାଳ ସୁଲଭ ଚପଳତାରେ ମଧ୍ୟ ସେ ଗମ୍ଭିର ଥିଲେ ଦେଶର ସ୍ଵାଧୀନତା ଆନ୍ଦୋଳନ ପାଇଁ । ସେଥିପାଇଁ ସେ ବଳିଦାନ ଦେଇଥିଲେ ନିଜପ୍ରାଣକୁ ଭାରତ ମାତାଙ୍କ ଚରଣ ତଳେ । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟ ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଜି । ପିଲା ବେଳୁ ପିତାଙ୍କୁ ହରାଇ ବହୁ ଦୁଃଖ କଷ୍ଟରେ ମା’ଙ୍କଦ୍ୱାରା ସେ ପ୍ରତିପାଳିତ ହୋଇଥିଲେ । ସେତେବେଳ ଢେଙ୍କାନାଳ ଥିଲା ଏକ ଗଡଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ ରେ ରାଜା ଶଙ୍କର ପ୍ରତାପ ସିଂହଦେଓ ମହିନ୍ଦ୍ର ବାହାଦୂର ଢେଙ୍କାନାଳର ଶାସନଭାର ଗ୍ରହଣ କଲେ । ସେ ଜଣେ ଗର୍ବି ଓ ଅହଂକାରୀ ରାଜା ଥିଲେ। ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ। ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା।
୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ। ଗୋରା ସରକାରଙ୍କ ଠାରୁ ପ୍ରଜାମଣ୍ଡଳକୁ ଦୁରେଇ ରଖିବା ପାଇଁ ସେଦିନ ନଦୀ ଘାଟରେ ଜଗି ବସିଥିଲା ସେହି କୋମଳ ବାଳକଟି । ଗୋରା ସରକାରଙ୍କ ଆଦେଶ ସତ୍ତ୍ୱେ ମଧ୍ୟ ବାଜି ରାଉତ କୁଳରୁ ଡଙ୍ଗା ଫିଟାଇନଥିଲା । ଫଳରେ ଗୋରା ସାହେବଙ୍କ ଆଖିବୁଜା ଗୁଳି ଚାଳନାରେ ପ୍ରାଣ ହରାଇଥିଲେ ବାଜି ରାଉତ । ରକ୍ତରଞ୍ଜିତ ହୋଇଉଠିଥିଲା ବ୍ରହ୍ମଣୀ ତଟ । ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ। ଆଜି ତାଙ୍କର ଜନ୍ମଜୟନ୍ତୀରେ ସେହି କୋମଳମତୀ ବଳକଙ୍କୁ ଝୁରୁଛି ରାଜ୍ୟ ସମେତ ପୁରା ଦେଶ ।
Comments are closed.