Latest Odisha News

BREAKING NEWS

ମନେ ପଡନ୍ତି ବାପୁ: ମହାତ୍ମା ଗାନ୍ଧୀଙ୍କ ୭୭ତମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ଵର: ଜାତିର ଜନକ ଆମର ପ୍ରିୟ ବାପୁଜୀ। ସାରା ଦେଶ ପାଇଁ ଯେଉଁ ପୁରୁଷ ଦିନେ ସ୍ୱାଧୀନତା ଫେରାଇ ଆଣିଥିଲେ ସେହି ମହାନ ଆତ୍ମାଙ୍କର ଆଜି ହେଉଛି ପୂଣ୍ୟ ଶ୍ରାଦ୍ଧ ବାର୍ଷିକୀ। ୧୯୪୮ ମସିହା ଆଜିର ଦିନରେ ଆତତାୟୀର ଗୁଳିମାଡ଼ରେ ମୃତ୍ୟୁ ବରଣ କରିଥିଲେ ମହାତ୍ମା ଗାନ୍ଧୀ। ଯେଉଁ ମଣିଷ ଦିନେ ସାରା ବିଶ୍ୱକୁ ଅହିଂସା ଓ ସତ୍ୟର ପାଠ ପଢ଼େଇଥିଲେ, ସେହି ମଣିଷ ହିଁ ଆଉ ଜଣେ ମଣିଷର ଗୁଳି ମାଡ଼ରେ ଟଳିପଡ଼ିଥିଲା ସେ ପ୍ରାର୍ଥନା ଗୃହରେ। ଗାନ୍ଧୀଜୀଙ୍କ ମୃତ୍ୟୁ ସମୟର ସେହି ଶେଷ ବାକ୍ୟ ‘ହେ ରାମ’ ସହ ପୃଥିବୀ ଇତିହାସରୁ ଶେଷ ହୋଇଯାଇଥିଲା ଗାନ୍ଧୀ ଯୁଗ।

୧୮୬୯ ମସିହାରେ ଗୁଜୁରାଟରେ ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିବା ସେହି ଛୋଟ ବାଳକ ଜଣକ ପରାଧୀନ ଭାରତକୁ ସ୍ୱାଧୀନ ଭାରତରେ ପରିଣତ କରିପାରିଥିଲେ। ଖାଲି ସେତିକି ନୁହେଁ ସାରା ବିଶ୍ୱକୁ ସତ୍ୟ ଓ ଅହିଂସାର ପାଠ ମଧ୍ୟ ଶିଖାଇଥିଲେ। ଭାରତର ବିଭାଜନ ତାଙ୍କୁ ଯେତିକି କଷ୍ଟ ଦେଇଥିଲା ଦେଶରେ ସେହି ସମୟରେ ଗଢି ଉଠିଥିବା ବିଭିନ୍ନ ସଙ୍ଘଠନର ସାମ୍ପ୍ରଦାୟିକ ଦଙ୍ଗା ତାଙ୍କୁ ଅଧିକ ଯନ୍ତ୍ରଣା ଦେଇଥିଲା । ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ତାଙ୍କର ସଂଗ୍ରାମ ପାଇଁ ତାଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଇଥାଏ। ଭାରତର ସ୍ବାଧୀନତା ପ୍ରାପ୍ତି ପରେ ମାତ୍ର ୫ ମାସ ୧୫ ଦିନ ବଞ୍ଚିରହିଥିଲେ ଗାନ୍ଧୀ ।

୧୯୪୮ ମସିହା ଜାନୁଆରୀ ୩୦ ତାରିଖ , ଶୁକ୍ରବାର ସନ୍ଧ୍ୟା ସମୟ ୫:୧୭ ମିନିଟ୍ । ପ୍ରାର୍ଥନା ସଭାରେ “ନାଥୁରାମ ବିନାୟକ ଗଡସେ” ନାମକ ଜଣେ ମରହଟ୍ଟା ଯୁବକ ବାପୁଜୀଙ୍କ ସମ୍ମୁଖ ଭାଗରୁ ଗୁଳି କରି ତାଙ୍କୁ ହତ୍ୟା କଲେ । ବାପୁଙ୍କ ନିକଟରେ ସେତେବେଳେ ଥିଲେ ତାଙ୍କ ପ୍ରିୟ ନାତୁଣୀ “ମନୁ ଗାନ୍ଧୀ” । ପାଦ ଛୁଇଁବା ଆଳରେ “ନାଥୁରାମ” ଅତି ନିକଟରୁ ବାପୁଜୀଙ୍କୁ ଗୁଳି କରିଥିଲେ । ପ୍ରଥମ ଗୁଳିଟି ତାଙ୍କ ପେଟରେ ବାଜିଥିଲା । ସେ ସେହିମୁହୁର୍ତ୍ତରେ ଚିତ୍କାର କରି “ହେ’ ରାମ” ଉଚ୍ଚାରଣ କରିବା କାଳରେ ଆଉ ଦୁଇଟି ଗୁଳି ତାଙ୍କ ଛାତିରେ ବିଦ୍ଧ ହୋଇଥିଲା । ଘଟଣାଟି ଏତେ ଅପ୍ରତ୍ୟାଶିତ ଥିଲା ଯେ , “ମନୁ ଗାନ୍ଧୀ” ଏବଂ ଅନ୍ୟମାନେ କିଛି ଜାଣିବା ଓ ବୁଝିବା ପୂର୍ବରୁ ଭାରତର ସୂର୍ଯ୍ୟଙ୍କୁ ଅସ୍ତମିତ କରିଦିଆଗଲା । ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ , ସଂଜ୍ଞାହୀନ ବାପୁଙ୍କୁ ତାଙ୍କ ରହଣୀସ୍ଥଳ ବିରଳା ଭବନକୁ ନିଆଗଲା । ସେଠାରେ ଗାନ୍ଧୀଙ୍କ ଶରୀରକୁ ଏକ ସଫା ଚଦରରେ ଘୋଡ଼ାଇ ଦିଆଯାଇଥିଲା । କିନ୍ତୁ ଯେତେବେଳେ , ତାଙ୍କ ସାନ ପୁତ୍ର “ଦେବଦାସ ଗାନ୍ଧୀ” ସେଠାରେ ପହଞ୍ଚିଲେ । ସେ ତୁରନ୍ତ ମହାତ୍ମାଙ୍କ ଉପରୁ ସେ ସଫା ଚଦର କାଢ଼ିନେଲେ । କାରଣ , ଏ ସମସ୍ତ ସମାଜ ଶାନ୍ତି ଆଉ ଅହିଂସାର ପୂଜାରୀଙ୍କ ସହ ହୋଇଥିବା ହିଂସାକୁ ଦେଖିପାରନ୍ତୁ । ମାତ୍ର ୨୦ ମିନିଟ୍ ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।

ପୁର୍ବରୁ “ନାଥୁରାମ ଗଡସେ” ୫ ଥର ହତ୍ୟା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ୧୯୩୪ ମସିହାରେ ତାଙ୍କୁ ପ୍ରଥମ ଥର ଆକ୍ରମଣ କରାଯାଇଥିଲା । ପୁନେର ନଗର ପାଳିକା ଦ୍ବାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାକୁ ଯିବା ସମୟରେ ତାଙ୍କ ଉପରକୁ ବୋମା ଫିଙ୍ଗାଯାଇଥିଲା । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ୧୯୪୪ ମସିହାରେ ମଧ୍ୟ ଜଣେ ଲୋକ ତାଙ୍କ ନିକଟକୁ ଛୁରୀ ନେଇ ଆସିଥିଲେ । ୧୯୪୮ ମସିହା ଜାନୁଆରୀ ୨୦ ରେ ହୋଇଥିବା ପଞ୍ଚମ ଷଡଯନ୍ତ୍ର ଥିଲା ଖୁବ ଚାଞ୍ଚଲ୍ୟକର । ଏହାପରେ ମହାତ୍ମା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଥିଲା । କିନ୍ତୁ ଗାନ୍ଧୀଜି ଏହାକୁ ବିରୋଧ କରିଥିଲେ । ସୁରକ୍ଷା ଗ୍ରହଣ କରିବାକୁ ନାରାଜ ଥିଲେ । ଶେଷରେ ଜାନୁଆରୀ ୩୦ରେ ଆତତାୟୀ ନାଥୁରାମ୍‌ ଗଡସେ ଗାନ୍ଧୀଙ୍କ ଛାତିକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା । ସେଇଠି ଟଳି ପଡିଥିଲେ ଅହିଂସାର ଆଜୀବନ ଉପାସକ ଜାତିର ପିତା ମହାତ୍ମା ଗାନ୍ଧୀ ।

 

Comments are closed.