ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଗଣିତଜ୍ଞ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ୭୮ ବର୍ଷ ବୟସରେ ହୃଦଘାତରେ ଭୁବନେଶ୍ୱର ଏମ୍ସରେ ପରଲୋକ ହୋଇଯାଇଛି।
ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରଫେସର ଆଚାର୍ଯ୍ୟ ଗୁରୁବାର ମଧ୍ୟରାତ୍ରିର ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ତାଙ୍କ ପରିବାରରେ ପତ୍ନୀ, ଗୋଟିଏ ଝିଅ ଓ ଦୁଇ ପୁଅ ଅଛନ୍ତି।
ବିଶିଷ୍ଟ ଶିକ୍ଷାବିତଙ୍କ ମରଶରୀରକୁ ରାଜଧାନୀସ୍ଥିତ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିବା ବେଳେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ସେହିପରି ତାଙ୍କ ମରଶରୀରକୁ ବାଣୀବିହାରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ବିଦ୍ୱାନ, ଗବେଷକ ଓ ଅଧ୍ୟାପକଙ୍କ ଶ୍ରଦ୍ଧାଞ୍ଜଳୀ ପାଇଁ ନିଆଯାଇଥିଲା। ତୀର୍ଥନଗରୀ ପୁରୀର ସ୍ୱର୍ଗଦ୍ୱାର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
୧୯୬୮ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିବା ପ୍ରଫେସର ଆଚାର୍ଯ୍ଯ ୨୦୦୫ରେ ଅବସର ଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ରଚିତ ଅନେକ ପୁସ୍ତକ କଲେଜ, ବିଶ୍ବବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜର ପାଠ୍ୟକ୍ରମରେ ସ୍ଥାନ ପାଇଛି।
ତାଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକ ମଧ୍ୟରେ ଫଣ୍ଡାମେଣ୍ଟାଲ ଅଫ୍ ମ୍ୟାଥମେଟିକ୍ସ (ଭାଗ ୧ ଓ ୨), ଟପିକ୍ସ ଇନ୍ ମ୍ୟାଥମେଟିକ୍ସ (ଭାଗ ୧ ଓ ୨), ଲଜିକ ଓ ସେଟ୍ ଥିଓରି, ଆନାଲାଟିକ୍ସ ସଲିଡ ଜ୍ୟାେମେଟ୍ରି, ଏ କୋର୍ସ ଅନ ନ୍ୟୁମେରିକାଲ ଆନାଲିସିସ ଏବଂ ଟପିକ୍ସ କାଲକୁଲସ।
ଉତ୍କଳ ବିଶ୍ବବିଦ୍ୟାଳୟରୁ ଅବସର ନେବା ପରେ ସେ ଆଇଆଇଟି ଭୁବନେଶ୍ୱର ଓ ଆଇଟିଇଆରରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।
Comments are closed.