Latest Odisha News

BREAKING NEWS

କିମ୍‌ସରେ ପ୍ରଫେସର ଏମେରିଟସ୍ ଭାବେ ଯୋଗ ଦେଲେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର

ଭୁବନେଶ୍ୱର : ଦେଶର ବେଶ୍ ଜଣାଶୁଣା ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର କଳିଙ୍ଗ ଇନଷ୍ଟିଚଚ୍ୟଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ରେ ପ୍ରଫେସର ଏମେରିଟସ୍ ଭାବେ ଯୋଗ ଦେଇଛନ୍ତି । ଏହା ସହିତ ସେ କିମ୍‌ସ ବହିର୍ବିଭାଗରେ ମଧ୍ୟ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପରାମର୍ଶ ଦେବେ । ପୂର୍ବରୁ ସେ ଦେଶର ଖ୍ୟାତି ସମ୍ପନ୍ନ ମେଡ଼ିକାଲରେ ସେବା ଯୋଗାଇ ଆସିଛନ୍ତି । ସୋମବାର ଡା ସତୀଶଚନ୍ଦ୍ର ପ୍ରଥମେ କିମ୍‌ସ ବହିର୍ବିଭାଗରେ ରୋଗୀଙ୍କୁ ପରାମର୍ଶ ଦେବେ । କିମ୍‌ସରେ ଡା ସତୀଶଚନ୍ଦ୍ରଙ୍କ ଯୋଗଦାନ କରିବା ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଏପିଲେପ୍‌ସି ସମେତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ରୋଗୀ ସହଜରେ ଚିକିତ୍ସା ସୁବିଧା ପାଇପାରିବେ । ଅଗଷ୍ଟ ୨୧ ତାରିଖରେ ସେ କିମ୍‌ସରେ ଆନୁଷ୍ଠାନିକ ଭାବେ ଯୋଗ ଦେଉଥିବାରୁ କିଟ୍‌, କିସ୍ ଓ କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଡା. ସତୀଶଚନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଡା ସତୀଶଚନ୍ଦ୍ର ତାଙ୍କ କ୍ୟାରିୟରରେ ଅନେକ ପୁରସ୍କାର ଏବଂ ସଫଳତା ହାସଲ କରିଛନ୍ତି । ତାଙ୍କୁ ୨୦୧୪ରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ‘କର୍ଣ୍ଣାଟକ ରାଜୋତ୍ସବ ପୁରସ୍କାର’ ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଚିକିତ୍ସା ବିଜ୍ଞାନୀ ଭାବେ ସାର୍ ଏମ୍ ବିଶ୍ୱେଶ୍ୱରାୟ ପୁରସ୍କାର ଏବଂ ୨୦୦୭ରେ ଇଣ୍ଟରନ୍ୟାସନାଲ ଲିଗ୍ ଏଗେନ୍‌ଷ୍ଟ ଏପିଲେପସି ପକ୍ଷରୁ ‘ଆମ୍ବାସାଡ଼ାର ଅଫ୍ ଏପିଲେପସି’ ଭାବେ ସମ୍ମାନିତ ହୋଇଛନ୍ତି । ସେ ଭାରତ ଏବଂ ବିଦେଶର ଅନେକ ପ୍ରମୁଖ ମେଡିକାଲ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ବେଙ୍ଗାଲୁରୁର ନିମହାନସର କୁଳପତି ଭାବେ କାର୍ଯ୍ୟ କରିଛନ୍ତି ।

Comments are closed.