Latest Odisha News

BREAKING NEWS

ପରଲୋକରେ ବର୍ଷୀୟାନ ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା

ଭୁବନେଶ୍ୱର: ପରଲୋକରେ ପାଲା ଜଗତର ଉଜ୍ଜ୍ୱଳ ନକ୍ଷତ୍ର ତଥା ଭାଗବତ ଭୂଷଣ ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । ଗତକାଲି ରାତିରେ ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁର ସ୍ଥିତ ଝିଅ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । କୋଭିଡ୍ କଟକଣା ଭିତରେ ପୈତୃକ ଗାଁ ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ସୁରଙ୍ଗପଲ୍ଲୀରେ ଅନ୍ତିମ ସଂସ୍କାର ହେବ । ବଳଭଦ୍ର ପଣ୍ଡାଙ୍କ ବିୟୋଗରେ ପାଲା ଜଗତରେ ଶୋକର ଛାୟା ଖେଳିଯାଇଛି ।

ଏକବିଂଶ ଶତାବ୍ଦୀରେ ପାଲା ଜଗତରେ ଯେଉଁ କେତେଜଣ ଗାୟକ ବିପ୍ଳବ ଆଣିଛନ୍ତି, ନୂଆ ଧାରା ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଭାଗବତ ଭୂଷଣ ବଳଭଦ୍ର ପଣ୍ଡା । ବିଶେଷ କରି ପାଲାରେ ଆଧ୍ୟାତ୍ମିକ ଚିନ୍ତନ, ସାମାଜିକ ବାର୍ତ୍ତା, ସମାଜ ଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚେତନତା ଆଦି ସେ ପ୍ରବେଶ କରାଇଥିଲେ । ସବୁଠାରୁ ବଡକଥା ହେଉଛି ପାଲାରେ ଭାଗବତକୁ ବ୍ୟାପକ ଭାବେ ପ୍ରଥମେ ବଳଭଦ୍ର ପଣ୍ଡା ହିଁ ପ୍ରଚଳନ କରାଇଥିଲେ । ପାଲାକୁ ସାଧାରଣ ଲୋକଙ୍କଠାରୁ ଆଣି ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।


ତାଙ୍କ ବିୟୋଗ ପାଲା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଅନୁଷ୍ଠାନର ସଭାପତି ମଦନମୋହନ ଜେନା । ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ଉପାଧ୍ୟକ୍ଷ ଥିବା ଶ୍ରୀଯୁକ୍ତ ବଳଭଦ୍ର ପଣ୍ଡାଙ୍କ ବିୟୋଗରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମର୍ମାହତ । ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀଧର ରାଉତ, କାର୍ଯ୍ୟକାରୀ କମିଟି ସଭାପତି ସନ୍ଦୀପ ମିଶ୍ରଙ୍କ ସହିତ ବରିଷ୍ଠ ଗାୟକ ପ୍ରହଲ୍ଲାଦ ସାହୁ, ସୁରେନ୍ଦ୍ରନାଥ ଛୋଟରାୟ, ଚକ୍ରଧର ବାରିକ ପ୍ରମୁଖ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.