ନୂଆଦିଲ୍ଲୀ: ସବୁ ଚର୍ଚ୍ଚା ଉପରେ ଏବେ ବିରାମ ପଡିଛି । ସତରେ ବନ୍ଧନରୁ ମୁକ୍ତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା । ମାସ ମାସ ଧରି ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ଖବର ଘୁରି ବୁଲିବା ପରେ ଏବେ ଉଭୟ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଧନଶ୍ରୀଙ୍କ ଓକିଲ । ଉଭୟ ବିଚ୍ଛେଦ ନେଇ ପୂର୍ବରୁ ପରୋକ୍ଷ ଭାବେ ପୋଷ୍ଟ ଜାରି କରିଥିଲେ ମଧ୍ୟ କାହିଁକି ଏହି ବିଚ୍ଛେଦ, ତାହାର କାରଣ କେହି ବି ସ୍ପଷ୍ଟ କରିନଥିଲେ । କିନ୍ତୁ ଗତକାଲି ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ଦମ୍ପତିଙ୍କ ଶେଷ ଶୁଣାଣି ହୋଇଥିବା ବେଳେ ଏହା ପଛର କାରଣ ଏବେ ସାମ୍ନାକୁ ଆସିଛି ।
ତେବେ ରିପୋର୍ଟରୁ ଜଣାପଡିଛି, ପ୍ରଥମେ ବିଚାରପତି ଉଭୟଙ୍କ ପକ୍ଷର ଶୁଣାଣି କରିବା ପୂର୍ବରୁ ଦମ୍ପତିଙ୍କୁ କାଉନସିଲିଂ ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ପାଖାପାଖି ୪୫ ମିନିଟର କାଉନସିଲିଂରେ ବସିଥିଲେ ଉଭୟ ଚହଲ ଏବଂ ଧନଶ୍ରୀ । କାଉନସିଲିଂ ସରିବା ପରେ ଉଭୟ ପରସ୍ପରର ସମ୍ମତିରେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ବୋଲି ପ୍ରକାଶ କରିଥିଲେ ।
ଖାଲି ସେତିକି ନୁହେଁ, ଯେତେବେଳେ ଏହା ଜଣାପଡିଥିଲା ଯେ, ଚହଲ୍ ଏବଂ ଧନଶ୍ରୀ ଗତ ୧୮ ମାସ ହେଲାଣି ପରସ୍ପର ଠାରୁ ଅଲଗା ରହୁଛନ୍ତି, ଏହାକୁ ନେଇ ଛାଡପତ୍ର ପାଇବାର ସମ୍ଭାବ୍ୟ କାରଣ ବିଷୟରେ ପଚରିଥିଲେ ବିଚାରପତି । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ କମ୍ପାଟିବିଲିଟି ଇସୁ ଥିବା ଉଭୟ ପ୍ରକାଶ କରିଥିଲେ ।
ସେପଟେ ଚହଲ୍ ଶେଷ ଶୁଣାଣିର ଠିକ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଲେଖା ଥିଲା, ଭଗବାନ ମୋତେ ତୁଳନା ଅପେକ୍ଷା ଢେର୍ ଥର ସୁରକ୍ଷା ଦେଇଛନ୍ତି । ତେଣୁ ମୁଁ କେବଳ କଳ୍ପନା କରିପାରିବି ଯେ ମୋତେ ବଞ୍ଚାଯାଇଛି, ଯାହା ବିଷୟରେ ମୁଁ ଜାଣିନାହିଁ । ଏଥିସହିତ ସେ ଭବବାନଙ୍କୁ ଧନ୍ୟବାଦ ବି ଜଣାଇଥିଲେ ଯେ, ସେ ଯାହା ଜାଣି ନାହାନ୍ତି, ସେଥିରୁ ମଧ୍ୟ ତାଙ୍କୁ ସେ ଉଦ୍ଧାର କରୁଛନ୍ତି ।
ଅନ୍ୟପଟେ ଧନଶ୍ରୀ ମଧ୍ୟ ସମାନ ଢଙ୍ଗରେ ଏକ ପୋଷ୍ଟ ଜାରି କରିଥିଲେ, ଯେଉଁଥିରେ ଲେଖାଥିଲା, ଚାପଗ୍ରସ୍ତରୁ ଆଶୀର୍ବାଦ ପ୍ରାପ୍ତ। ଏହା କ’ଣ ଆଶ୍ଚର୍ଯ୍ୟଜନକ ନୁହେଁ ଯେ ପରମେଶ୍ୱର ଆମର ଚିନ୍ତା ଏବଂ ପରୀକ୍ଷାକୁ ଆଶୀର୍ବାଦରେ ପରିଣତ କରିପାରିନ୍ତ । ଯଦି ଆପଣ ଆଜି କୌଣସି ବିଷୟରେ ଚିନ୍ତା କରୁଛନ୍ତି, ତେବେ ଜାଣନ୍ତୁ ଯେ ଏହାର ବିକଳ୍ପ ନିହାତି ରହିଛି । ଆପଣ ଚିନ୍ତା ଜାରି ରଖିପାରିବେ ନହେଲେ ଆପଣ ସବୁକିଛି ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିପାରିବେ କିମ୍ବା ସପୁ ପାଇଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରିପାରିବେ । ବିଶ୍ୱାସ ରଖିବାରେ ଶକ୍ତି ଅଛି ଯେ ପରମେଶ୍ୱର ଆପଣଙ୍କ ମଙ୍ଗଳ ପାଇଁ ସବୁ କିଛିକୁ ଏକାସାଙ୍ଗରେ ନେଇ ଆସିପାରିବେ ।
ତେବେ ଉଭୟ ସିଧାସଳଖ ବିବାହ ବିଚ୍ଛେଦ ନେଇ କିଛି ମତ ରଖିନଥିବା ବେଳେ ଏହି ପୋଷ୍ଟର ଇସାରା ଫ୍ୟାନ୍ସଙ୍କ ପାଇଁ କାଫି ରହିଥିଲା । ଆଉ ଏନେଇ ଧନଶ୍ରୀଙ୍କ ଓକିଲ ମଧ୍ୟ ସ୍ପଷ୍ଟ କରିଚନ୍ତି । ବର୍ତ୍ତମାନ ଛାଡପତ୍ର ମାମଲା ବିଚାରଧୀନ ରହିଛି ।
Comments are closed.