ଝାନ୍ସୀ: ଉତ୍ତରପ୍ରଦେଶର ଝାନ୍ସି ମେଡିକାଲ୍ କଲେଜର ଏନଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟଣା ସମ୍ପର୍କିତ ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଦାଖଲ କରାଯାଇଛି । ଝାନ୍ସିର ଡିଭିଜନାଲ କମିଶନର ଓ ଡିଆଜି ସିଏମଙ୍କ ନିକଟରେ ଏହି ରିପୋର୍ଟ ଦାଖଲ କରିଛନ୍ତି। ଉକ୍ତ ରିପୋର୍ଟରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଉଲ୍ଲେଖ କରାଯାଇଛି ।
ଝାନ୍ସିର ବରିଷ୍ଠ ଅଧିକାରୀମାନଙ୍କୁ ୧୨ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଥିଲା । ଦାଖଲ ରିପୋର୍ଟରେ କୁହାଯାଇଛି ଯେ, ବୈଦୁତିକ ଦୁର୍ଘଟଣା ତଥା ସର୍ଟସର୍କିଟ କାରଣରୁ ଏହି ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ତେବେ ପ୍ରାରମ୍ଭିକ ଅନୁସନ୍ଧାନ ଏବଂ ପଚରାଉଚରା ପରେ ଏହା ଏକ ଅପରାଧିକ ଷଡଯନ୍ତ୍ର ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୁଇଚ୍ ବୋର୍ଡରୁ ନିଆଁ ଲାଗିବା କାରଣରୁ ଏନଆଇସିୟୁରେ ନିଆଁ ଲାଗିଯାଇଥିଲା । ତେବେ ଏନଆଇସିୟୁରେ ସ୍ପ୍ରିଙ୍କଲର ସୁବିଧା ନଥିବାରୁ ନିଆଁ ମାଡିଯାଇଥିଲା ।
ତେବେ ରିପୋର୍ଟରେ ଏହା ସିଧାସଳଖ କୁହାଯାଇଛି ଯେ ଏହା କୌଣସି ଷଡଯନ୍ତ୍ର ନୁହେଁ । ଏହା ଏକ ଦୁର୍ଘଟଣା । ଅନ୍ୟପକ୍ଷରେ ରାଜ୍ୟ ସରକାର ଗତକାଲି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ୧୬ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ମୃତ୍ୟୁ ସଂଖ୍ୟ ବଢିବା ନେଇ ଆଶଙ୍କା ରହିଛି । ପ୍ରକୃତରେ ଏ ଘଟଣା କିପରି ଘଟିଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ରହିଥିଲା । ପ୍ରାଥମିକ ଅନୁମାନରୁ ଏହା ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଆକଳନ କରାଯାଉଥିବା ବେଳେ ପରେ ଜଣେ ନର୍ସ ଦିଆସିଲ ଜାଳିବା କାରଣରୁ ଏ ଘଟଣା ଘଟିଛି ବୋଲି କହିଥିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ । ଏହାପରେ ଏହି ଘଟଣାକୁ ଗୁରୁତର ସହ ନେଇଥିଲେ ସରକାର । ୧୨ ଘଣ୍ଟା ଭିତରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର ।