Latest Odisha News

ରାଜନୀତିର ଆଖଡାରେ ଭିନେଶ, ବଜରଙ୍ଗ : ହାତ ଧରୁ ଧରୁ ବିଜେପିକୁ ଟାର୍ଗେଟ  

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପୂର୍ବରୁ ରାଜନୈତିକ ମଇଦାନକୁ ପ୍ରବେଶ କରିଛନ୍ତି ଦୁଇ ତାରକା ରେସଲର । କଂଗ୍ରେସର ହାତ ଧରିଛନ୍ତି ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଦୁଇ ରେସଲର ଦୁଇ ଦିନ ତଳେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ କଂଗ୍ରେସରେ ଯୋଗ ଦେବା ନିଶ୍ଚିତ ହୋଇଥିଲା । ଗତବର୍ଷ ବିଜେପି ନେତା ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଚର୍ଚ୍ଚିତ ଚେହେରା ଥିଲେ ଭିନେଶ ଓ ବଜରଙ୍ଗ । ବ୍ରଜଭୂଷଣଙ୍କ ବିରୋଧରେ ମହିଳା ରେସଲରଙ୍କୁ ଯୈାନ ଶୋଷଣ କରିବା ଭଳି ସାଂଘାତିକ ଅଭିଯୋଗ ଆସିଥିଲା । କଂଗ୍ରେସରେ ଯୋଗ ଦେଉ ଦେଉ ବିଜେପି ବିରୋଧରେ ବର୍ଷିଛନ୍ତି ଦୁଇ ରେସଲର । ଆଣିଛନ୍ତି ଅନେକ ଅଭିଯୋଗ ।

ବିଜେପି ବିରୋଧରେ ବିଷ ଓଗାରିଲେ ଭିନେଶ

କଂଗ୍ରେସରେ ଯୋଗ ଦେଉ ଦେଉ ବିଜେପି ଉପରେ ବର୍ଷିଛନ୍ତି ଭିନେଶ । କଂଗ୍ରେସ ମହିଳାଙ୍କ ଅଧିକାରକୁ ସମର୍ଥନ କରେ । ତେଣୁ କଂଗ୍ରେସରେ ମିଶି ସେ ଗର୍ବିତ । ଆମର ଖରାପ ସମୟରେ କଂଗ୍ରେସ ହିଁ ଆମକୁ ସମର୍ଥନ କରିଥିଲା । ବିଜେପିକୁ ଛାଡି ଅନ୍ୟ ସବୁ ଦଳ ଆମକୁ ସମର୍ଥନ କରିଥିଲେ । ଯୌନ ଉତ୍ପୀଡନ ଅଭିଯୁକ୍ତ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୋର୍ଟରେ ଲଢେଇ ଜାରି ରହିବ ବୋଲି ଭିନେଶ କହିଛନ୍ତି । ବିଜେପି ତାଙ୍କ ଭାବମୂର୍ତ୍ତି ମଳିନ କରିବାକୁ ଉଦ୍ୟମ କରିଛି । ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି ଆଇଟି ସେଲ୍ ପକ୍ଷରୁ ମିଥ୍ୟା ପ୍ରଚାର କରାଯାଇଥିଲା । କ୍ୟାରିଅର ଶେଷ ହୋଇଗଲା ଓ ଆମେ ନ୍ୟାସନାଲ ଖେଳିବାକୁ ଚାହୁଁନାହୁଁ ବୋଲି ପ୍ରଚାର କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଭିନେଶ । ସେ ଜାତୀୟ ପ୍ରତିଯୋଗିତା ଖେଳିବା ସହ ଅଲିମ୍ପିକ୍ସ ବି ଖେଳିଲେ । ତାଙ୍କ ପାଇଁ ଭଗବାନଙ୍କ ଇଚ୍ଛା ଅଲଗା ଥିଲା ବୋଲି କହିଛନ୍ତି ଭିନେଶ । କଂଗ୍ରେସରେ ଯୋଗ ଦେବା ପୂର୍ବରୁ ରେଳବାଇ ଚାକିରିରୁ ଇସ୍ତଫା ଦେଇଛନ୍ତି ଭିନେଶ ।

ବିଜେପିକୁ ଜୋରଦାର ଟାର୍ଗେଟ କଲେ ବଜରଙ୍ଗ

କଂଗ୍ରେସର ହାତ ଧରିବା ପରେ ବଜରଙ୍ଗ ପୁନିଆ ମଧ୍ୟ ବିଜେପିକୁ କଡା ସମାଲୋଚନା କରିଛନ୍ତି । ବ୍ରଜଭୂଷଣ ସିଂହଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ବିଜେପି ଆଇଟି ସେଲ୍ ରେସଲରଙ୍କ ବିରୋଧରେ ମିଛ ପ୍ରଚାର କରିଥିଲା । ରାଜନୀତି କରିବା ଆମର ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା । ବ୍ରଜଭୂଷଣଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ପାଇଁ ଆମେ ବିଜେପି ଓ ଦଳର ମହିଳା ସାଂସଦଙ୍କୁ ନିମନ୍ତ୍ରଣ କରିଥିଲୁ । କିନ୍ତୁ ସେମାନେ ବିକ୍ଷୋଭକାରୀ ରେସଲରଙ୍କୁ ସମର୍ଥନ କଲେ ନାହିଁ । କଂଗ୍ରେସ ଆମକୁ ପୂର୍ଣ୍ଣ ସମର୍ଥନ କରିଥିଲା ବୋଲି ବଜରଙ୍ଗ କହିଛନ୍ତି । ବଜରଙ୍ଗ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭିନେଶ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେଲା ପରେ ବିଜେପି ଖୁସି ମନାଇଥିଲା । ସାରାଦେଶ ସ୍ତବ୍ଧ ହୋଇଯାଇଥିଲା । କିନ୍ତୁ ବିଜେପି ଆଇଟି ସେଲ୍ ଲୋକେ ଭିନେଶଙ୍କ ଅଯୋଗ୍ୟ ଘୋଷଣାରେ ବେଶ୍ ଖୁସି ହୋଇଥିଲେ ।

ନିର୍ବାଚନ ଲଢିପାରନ୍ତି ଭିନେଶ ଓ ବଜରଙ୍ଗ

କଂଗ୍ରେସରେ ଯୋଗ ଦେବା ପରେ ଭିନେଶ ଓ ବଜରଙ୍ଗ ବିଧାନସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଭିନେଶ ଓ ବଜରଙ୍ଗକୁ ପ୍ରାର୍ଥୀ କରି ଜାଟ୍ ଭୋଟରଙ୍କ ସମର୍ଥନ ହାସଲ କରିବାକୁ ଚାହୁଁଛି କଂଗ୍ରେସ । ଦୁଇ ତାରକା ରେସଲରଙ୍କୁ ସାମିଲ ଦ୍ୱାରା ହରିୟାଣାରେ କଂଗ୍ରେସକୁ ନିର୍ବାଚନୀ ଫାଇଦା ମିଳିବ ବୋଲି କିଛି ରାଜନୈତିକ ବିଶେଷଜ୍ଞ କହିଛନ୍ତି।

Comments are closed.