Latest Odisha News

BREAKING NEWS

ବିପର୍ଯ୍ୟୟ ବେଳର ହିରୋ ଓଡ଼ିଶା ପୋଲିସର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ‘ଷ୍ଟର୍ମ’

ବ୍ରହ୍ମପୁର: ଜୁଲାଇ ୩୦ ରାତିରେ ୱାୟନାଡରେ ଭୟଙ୍କର ଭୂସ୍ଖଳନ ପରେ ମାଟିତଳୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ୱାୟନାଡ୍ ଯାଇ ଅଗଷ୍ଟ ୬ ତାରିଖରେ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା ସନ୍ଧାନୀ କୁକୁର। ନାଁ ତାର ଷ୍ଟର୍ମ। ତା ସାଙ୍ଗରେ ଥିଲେ ବ୍ରହ୍ମପୁର ପୋଲିସ ଜିଲ୍ଲାର ୫ ଜଣ ପୋଲିସ କର୍ମଚାରୀ। ଆଉ ଭୂସ୍ଖଳନ ସ୍ଥଳରେ ପହଞ୍ଚୁ ପହଞ୍ଚୁ ଷ୍ଟର୍ମ ଆରମ୍ଭ କରି ଦେଇଥିଲା ତାର ସନ୍ଧାନ ଅଭିଯାନ।

ଷ୍ଟର୍ମ ନାଁ ଯେମିତି, ତୁଫାନୀ ଅନ୍ଦାଜରେ କାମ ବି ସେମିତି। ଯେଉଁଠି ମଣିଷ ପାରିଲାନି, ଯେଉଁଠି ଅତ୍ୟାଧୁନିକ ଯନ୍ତ୍ରାଂଶ ବି ଫେଲ୍ ମାରିଲା ସେଇଠି ସଫଳତାର ଅପରେସନ୍ ସାରି ଫେରି ଆସିଛି ଷ୍ଟର୍ମ। ଓଡ଼ିଶା ପୋଲିସର ଏକମାତ୍ର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡଗ୍ ବା ସାର୍। ବିପର୍ଯ୍ୟୟ ବେଳର ହିରୋ। ଏକାକୀ ମାଟି-ପଥର ତଳୁ ଠାବ କରିଛି ୧୦ରୁ ୧୨ ମୃତଦେହ। ଭୂସ୍ଖଳନ ସ୍ଥଳରେ କାର୍ଯ୍ୟଦକ୍ଷତା ପାଇଁ ସାଉଁଟିଛି ଢେର ସାବାସୀ।

ଜର୍ମାନ ସେଫଡ୍ ବ୍ରିଡ ପ୍ରଜାତିର ଏହି କୁକୁର ନିଜର ଅପରେସନ ସାରି ଓଡ଼ିଶା ଫେରିଛି। ଓଡିଶା ଫେରିବା ପରେ କେମିତି ସେ ଅପରେସନ୍ କରିଥିଲା ତା ଡେମୋ ବି ଦେଖାଇଛି। ସୂଚନା ଅନୁସାରେ ଅପରେସନ ଦିନ ଯେଉଁଠି ଯେଉଁଠି ମୃତଦେହର ସନ୍ଧାନ ପାଉଥିଲା, ତା ଟ୍ରେନରକୁ ସଂକେତ ଦେବା ପରେ ସେଇଠୁ ଜେସିବି ସହାୟତାରେ ଖୋଳାଯାଇ ବାହାରୁଥିଲା ମୃତଦେହ। ଏହି ଅପରେସନରେ ପାଖାପାଖି ୧୦ରୁ ୧୨ଟି ମୃତଦେହକୁ ଠାବ କରିଛି ଷ୍ଟର୍ମ। ଯେଉଁଥିପାଇଁ ଷ୍ଟର୍ମ ସହ ପୁରା ଟିମ୍ କେରଳ ପୋଲିସଠୁ ଢେର ପ୍ରଶଂସା ସାଉଁଟିଥିବା କହିଛନ୍ତି ଷ୍ଟର୍ମ ସହ ଯାଇଥିବା ପୋଲିସ କର୍ମଚାରୀ।

Comments are closed.