Latest Odisha News

ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା, ଗତବର୍ଷ ହନୁମାନ ଜୟନ୍ତିରେ ଲାଗିଥିଲା

ସମ୍ବଲପୁର: ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା। ଏକ ବର୍ଷ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣାକୁ ହଟାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଆଗକୁ ଆସୁଥିବା ମହରମ୍ ପର୍ବକୁ ଦୃଷ୍ଟିରେ ରଖି କଟକଣା ହଟାଇଛି ପ୍ରଶାସନ । ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ବେଳେ ଲାଗିଥିଲା କଟକଣା ।

ବର୍ଷେପୂର୍ବରୁ ଲାଗିଥିବା ସେହି କଟକଣାକୁ ଉଠାଯାଇଛି । ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଇଥିଲା ଜିଲ୍ଲା ପ୍ରଶାସନ। ଏବେ ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ପୂର୍ବରୁ ଜାରି ହୋଇଥିବା କଟକଣାକୁ ହଟାଯାଇଛି ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲି ସହରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଦେଇ ଯାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଭୟଙ୍କର ପଥର ମାଡ଼ କରାଯାଇଥିଲା । ଏହି ପଥର ମାଡ଼ରେ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ଓ ହନୁମାନ ଜୟନ୍ତୀ ସମନ୍ବୟ ସମିତିର ପ୍ରମୁଖ ସଦସ୍ୟ ଦାମୋଦର କରଙ୍କ ସହ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ଏହା ପରେ ଏପ୍ରିଲ ୧୪ ତାରିଖରେ ହନୁମାନ ଜୟନ୍ତୀ ପାଳନ ସମୟରେ ସହରର କେତେକ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ଦୋକାନ ଗୁଡିକୁ କେତେକ ଲୋକ ନିଆଁ ଲଗାଇ ଦେଇଥିଲେ । ଏହି ଦିନ ସୃଷ୍ଟି ହୋଇଥିବା ହିଂସାରେ ଜଣେ ଆଦିବାସୀ ଯୁବକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବାର ଅଭିଯୋଗ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ଗତବର୍ଷ ଠାରୁ ସମ୍ବଲପୁରରେ କୌଣସି ଧାର୍ମିକ ଶୋଭାଯାତ୍ର ହୋଇ ପାରିବନି ବୋଲି ନିଷ୍ପତ୍ତି ନେଇଥିଲା ।

Comments are closed.