ଭୁବନେଶ୍ୱର: ସୁରେନ୍ଦ୍ର କୁମାର ଦାଶ ନାମକ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।
ଏହି ଘଟଣା ଅନୁଗୁଳର ବୋଲି ଜଣାପଡ଼ିଛି। ସେ ଜମିର ସୀମା ନିର୍ଦ୍ଧାରଣ କରିବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଅଭିଯୁକ୍ତ ଜଣକ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ତୁସାର ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ଭାବରେ ନିଯୁକ୍ତ ଥିଲେ।
୨୪ ନଭେମ୍ବର, ୨୦୨୫ରେ ସୀମା ନିର୍ଦ୍ଧାରଣ ପାଇଁ ଆବେଦନ କରିଥିବା ଜଣେ ଜମି ମାଲିକଙ୍କ ଠାରୁ ତାଙ୍କ ଜମିର ସୀମା ନିର୍ଦ୍ଧାରଣ ଏବଂ ପାସ୍ କରିବା ପାଇଁ ସେ ୧୦୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଯାହାପରେ ଜମି ମାଲିକ ପ୍ରଥମ କିସ୍ତି ଭାବରେ ୨୦୦୦ ଟଙ୍କା ଦେଇଥିଲେ।ତେବେ ୮ ଜାନୁଆରୀରେ ବାକି ୮,୦୦୦ ଟଙ୍କା ଦେବାକୁ ମଧ୍ୟ ସେ କହିଥିଲେ। କିନ୍ତୁ ଜମି ମାଲିକ ବାକି ଟଙ୍କା ଦେବାକୁ ରାଜି ନ ହେବାପରେ ଆରଆଇ ଲାଞ୍ଚ ମୂଲ୍ୟକୁ ହ୍ରାସ କରି ୬୦୦୦ଟଙ୍କା ଦେବା ପାଇଁ କହିଥିଲେ। ଏପରି ଦାବିରେ ବିରକ୍ତ ହୋଇ ଜମି ମାଲିକ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଭିଜିଲାନ୍ସ ଅଧିକାରୀମାନେ କିଆକାଟା ସ୍ଥିତ ଆରଆଇ ଅଫିସ କ୍ୟାମ୍ପସ ଭିତରେ ତାଙ୍କୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। କିନ୍ତୁ ଭିଜିଲାନ୍ସ ଟିମକୁ ଦେଖି ଅଭିଯୁକ୍ତ ଲାଞ୍ଚ ଟଙ୍କାକୁ କାର୍ଯ୍ୟାଳୟ ପରିସରରେ ଥିବା ଏକ ଶୌଚାଳୟର ଝରକା ବାହାରକୁ ଫିଙ୍ଗି ଦେବାକୁ ଚେଷ୍ଟା କରିଥିବା ରିପୋର୍ଟରୁ ଜଣାପଡିଛି।ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କ ଠାରୁ ସମ୍ପୂର୍ଣ୍ଣ ୬୦୦୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।
ଏହି ଘଟଣା ପରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ସହ ତାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଭାବରେ ଚଢ଼ାଉ କରାଯାଉଛି। ଏଥିସହ ତାଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ବର୍ତ୍ତମାନ୍ ତଦନ୍ତ ଚାଲିଥିବା ନେଇ ଅଧିକାରୀମାନେ କହିଛନ୍ତି।