କୋଲକାତା: ପଶ୍ଚିମବଙ୍ଗର ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍ଲର୍ମ ଓ ହତ୍ୟା ମାମଲାରେ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷ ଏବଂ ତାଲା ପୋଲିସ ଷ୍ଟେସନର ପୂର୍ବତନ ପ୍ରଭାରୀ ଅଭିଜିତ ମଣ୍ଡଳଙ୍କୁ ଜାମିନ ପ୍ରଦାନ କରିଛନ୍ତି ପଶ୍ଚିମବଙ୍ଗର ସିଲଦା କୋର୍ଟ । ୯୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବିଫଳ ହେବାରୁ କୋର୍ଟ ଏହି ଦୁଇଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେପଟେ ପୀଡିତାଙ୍କ ପକ୍ଷରି କେସ୍ ଲଢୁଥିବା ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭର କେସ୍ ନ ଲଢିବାର ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୦ ତାରିଖରେ ଜଣେ ଟ୍ରେନିଂ ମହିଳା ଡକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରାଯାଇଥିଲା । ଏହି ଘଟଣା ପରେ ପୁରା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପଦ ଛାଡିବା ପାଇଁ ମଧ୍ୟ ଦାବି କରାଯାଇଥିଲା । ମୃତ ଡାକ୍ତର ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଦେଶବ୍ୟାପି ହରତାଳ ଆରମ୍ଭ ହୋଇଥିଲା । ଏହି ମାମଲାରେ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଜାମିନ ଦେଇଛି କୋର୍ଟ । ସେପଟେ ସନ୍ଦୀପ ଘୋଷଙ୍କ ଜାମିନ ପରେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧ ଦେଖାଯିବା ସହ ଡାକ୍ତରଙ୍କ ମଧ୍ୟରେ ପୁଣି ଥରେ ଅସନ୍ତୋଷ ଦେଖାଦେଇଛି।
ସେପଟେ, କୋର୍ଟଙ୍କ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ମୁଁ ପୂର୍ବରୁ ମଧ୍ୟ କହିଛି ଆଉ ଏବେ ବି କହୁଛି ପ୍ରତ୍ୟେକ ବଳାତ୍କାରୀଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯିବା ଉଚିତ୍ । ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍ । ଏକ ସମାଜ ଭାବରେ, ଏହି ଘୃଣ୍ୟ କାର୍ଯ୍ୟକୁ ଦୂର କରିବା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ । ମୋର ବିଶ୍ଵାସ ଯେ ଶୀଘ୍ର ଅଭିଯୁକ୍ତକୁ ଦଣ୍ଡ ଦିଆଯିବ ।