ନାଗପୁର: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ଫିନିଶର ରିଙ୍କୁ ସିଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରିଙ୍କୁ ଏହି ମ୍ୟାଚରେ ଏକ ରେକର୍ଡ କରିଛନ୍ତି । ସେ ୨୦ତମ ଓଭରରେ ସର୍ବାଧିକ ଛକା ମାରିବାରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଧୋନୀଙ୍କ ନିକଟରୁ ସେ ୯୪ ବଲ କମ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଧୋନୀ ଆନ୍ତର୍ଜାତୀୟ ଟି୨୦ରେ ଓଭରାଲ ୧୩୨ଟି ବଲ ଖେଳିଛନ୍ତି । ଏଥିରେ ୧୨ଟି ଛକା ରହିଛି । ଅପରପକ୍ଷରେ ରିଙ୍କୁ ୩୮ ବଲ ଖେଳି ୧୨ ଛକା ମାରି ସାରିଛନ୍ତି ।
୨୦ତମ ଓଭରରେ ସେ ଆଉ ଗୋଟିଏ ଛକା ମାରିଲେ ଧୋନୀଙ୍କ ରେକର୍ଡ ଭଙ୍ଗ କରିବେ । ପ୍ରଥମ ଟି୨୦ରେ ଅଭିଷେକ ଶର୍ମାଙ୍କ ୩୫ ବଲରୁ ୮୪ ଓ ରିଙ୍କୁଙ୍କ ୨୦ ବଲରୁ ୪୪ ରନ ସହାୟତାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩୮ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା । ଅଭିଷେକ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।