ଶ୍ରୀନଗର: ଜମ୍ମୁ-କାଶ୍ମୀରର ହିମାଳୟ ପର୍ବତମାଳାରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ସ୍ୱାଭାବିକ ଭାବେ ସୃଷ୍ଟି ହେଉଥିବା ବରଫ ଶିବଲିଙ୍ଗ ଚଳିତବର୍ଷ ଅସ୍ୱାଭାବିକ ଉଷ୍ଣ ପାଗ ଯୋଗୁଁ ଦ୍ରୁତ ଗତିରେ ତରଳୁଛି। ଆସନ୍ତା ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ, ଶିବଲିଙ୍ଗର ଆକାର ଛୋଟ ହୋଇଯାଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେବେ ଯାତ୍ରା ଓ ଦର୍ଶନ ବ୍ୟବସ୍ଥା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ସମୁଦ୍ରପତ୍ତନଠାରୁ ପ୍ରାୟ ୩,୮୮୦ ମିଟର ଉଚ୍ଚତାରେ ଥିବା ଅମରନାଥ ଗୁମ୍ଫାର ଛାତରୁ ଟପ୍ଟପ୍ କରି ପଡ଼ୁଥିବା ପାଣି ବରଫରେ ପରିଣତ ହୋଇ ପ୍ରତିବର୍ଷ ସ୍ୱାଭାବିକ ଶିବଲିଙ୍ଗ ସୃଷ୍ଟି କରେ। ଏହାର ଆକାର ପାଗ, ତାପମାତ୍ରା ଓ ଆର୍ଦ୍ରତା ଉପରେ ନିର୍ଭର କରେ। ଚଳିତବର୍ଷ ଜୁନ୍ ମାସରେ ସାଧାରଣଠାରୁ ଅଧିକ ତାପମାତ୍ରା ରହିବାରୁ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ବରଫ ଦ୍ରୁତ ଗତିରେ ତରଳୁଛି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତାପମାତ୍ରା ବୃଦ୍ଧି ଓ ଗତ ଶୀତଋତୁରେ ସାଧାରଣଠାରୁ କମ୍ ତୁଷାରପାତ ହେବା ଏହାର ପ୍ରମୁଖ କାରଣ। ଏଥିସହ ପରିବେଶବିତ୍ମାନେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅମରନାଥର ପ୍ରାକୃତିକ ବରଫ ଶିବଲିଙ୍ଗର ଗଠନ ଓ ଆକାର ଉପରେ ସ୍ପଷ୍ଟ ଭାବେ ପଡ଼ୁଛି। ପୂର୍ବରୁ ମଧ୍ୟ କିଛି ବର୍ଷରେ ଯାତ୍ରା ପୂର୍ବରୁ ଶିବଲିଙ୍ଗ ଅନେକାଂଶରେ ତରଳିଯାଇଥିଲା।
ପାଣିପାଗ ବିଭାଗ ଆଗାମୀ କିଛି ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଥିବାରୁ ଶିବଲିଙ୍ଗର ଆକାର ଆହୁରି ଛୋଟ ହେବାର ଆଶଙ୍କା କରାଯାଉଛି। ତେବେ ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବାବେଳେ ପହେଲଗାମ ଓ ବାଲଟାଲ ଉଭୟ ମାର୍ଗରେ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା କରାଯାଉଛି। ଅଫବାହକୁ ବିଶ୍ୱାସ ନକରି ନିର୍ଭୟରେ ଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି।
