ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଅଧିକାଂଶ ଫ୍ରାଂଚାଇଜ ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି । ରାଜସ୍ଥାନ ରୟାଲ୍ସ ପ୍ରଥମ ୩ଟି ମ୍ୟାଚ ପାଇଁ ରିୟାନ ପାରଗଙ୍କୁ ଅଧିନାୟକ ନିଯୁକ୍ତ କରିଛି । ନିୟମିତ ଅଧିନାୟକ ସଞ୍ଜୁ ସାମସନ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ସହିତ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଭୂମିକାରେ ରହିବେ । ବିରାଟ କୋହଲିଙ୍କ ପରେ ୨୩ ବର୍ଷୀୟ ପରାଗ କନିଷ୍ଠ ଅଧିନାୟକ ତାଲିକାରେ ସାମିଲ ହୋଇଛନ୍ତି । ରାଜସ୍ଥାନ ପୂର୍ବରୁ ପଞ୍ଜାବ କିଙ୍ଗସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ଦିଲ୍ଲୀ କ୍ୟାପିଟାଲ୍ସ. ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟ ସେମାନଙ୍କ ଅଧିନାୟକ ବଦଳାଇଛନ୍ତି ।
ସଞ୍ଜୁଙ୍କ ଆଙ୍ଗୁଳି ସମ୍ପୂର୍ଣ୍ଣ ଭାବେ ଭଲ ହୋଇ ନ ଥିବାରୁ ରାଜସ୍ଥାନ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ତାଙ୍କୁ ୱିକେଟ କିପିଂ ପାଇଁ ମଧ୍ୟ ମନା କରାଯାଇଛି । ପରାଗ ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇ ବିପକ୍ଷ ମ୍ୟାଚରେ ଦଳର ନେତୃତ୍ୱ ନେବେ । ପରାଗ ଘରୋଇ ଟୁର୍ଣ୍ଣାମେଂଟରେ ଆସାମର ନେତୃତ୍ୱ ନେଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ।