Latest Odisha News

ସଡ଼କ ସୁରକ୍ଷା ମାସର ପ୍ରଭାବ; ଜାନୁଆରୀରେ କମିଲା ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା।ଜାନୁଆରୀରେ ହ୍ରାସ ପାଇଛି ସଡ଼କ ଦୁର୍ଘଟଣା ସହ ତଦଜନିତ ମୃତ୍ୟୁ ସଂଖ୍ୟା। ୨୦୨୫ ଜାନୁଆରୀ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବରେ ପାଳନ କରାଯାଇଥିଲା।

ଏହି ଅବସରରେ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ଆଖିଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କ ଜରିଆରେ ମାସେବ୍ୟାପୀ ସାରା ରାଜ୍ୟରେ ସଚେତନତା ଓ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଥିଲା। ଜାନୁଆରୀ ମାସର ସଡ଼କ ଦୁର୍ଘଟଣା ତଥ୍ୟରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି।

୨୦୨୫ ଜାନୁଆରୀ ମାସରେ ରାଜ୍ୟରେ ୯୯୪ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ହେଉଛି ୪୧୭। ୨୦୨୪ରେ ଦୁର୍ଘଟଣା ସଂଖ୍ୟା ଥିଲା ୧୦୯୩ ଓ ମୃତ୍ୟୁସଂଖ୍ୟା ଉଦବେଗଜନକ ଭାବରେ ୫୬୧ ଛୁଇଁଥିଲା। ସେହିଭଳି ବର୍ଷ ୨୦୨୩ରେ ଏହି ସଂଖ୍ୟା ଯଥାକ୍ରମେ ୧୧୯୯ ଓ ୫୫୪ ରହିଥିଲା।

ବିଭିନ୍ନ କାରଣ ଯୋଗୁଁ ଡିସେମ୍ବର ଓ ଜାନୁଆରୀରେ ସର୍ବାଧିକ ଦୁର୍ଘଟଣା ଘଟିଥାଏ। ବିଦାୟୀ ବର୍ଷ, ନୂଆବର୍ଷ ଆଦି ପାଇଁ ପିକନିକ ସଂଖ୍ୟା ବୃଦ୍ଧିପାଏ। ଯାହା ମଦ୍ୟପାନ ଓ ଦ୍ରୁତଗତି ଜନିତ ଦୁର୍ଘଟଣା ବୃଦ୍ଧି କରାଏ। ସେହିଭଳି କୁହୁଡ଼ି ଯୋଗୁଁ ଅନେକ ଦୁର୍ଘଟଣା ଘଟିଥାଏ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ମାସ ମାନଙ୍କରେ ବିଶେଷ ନଜର ରଖିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା।

ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ସହ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯାହା ଉପରେ ନିୟନ୍ତ୍ରଣ ଆଣିବାକୁ ଲଗାତର ପ୍ରୟାସ କରୁଛି ରାଜ୍ୟ ପରିବହନ ପ୍ରାଧିକରଣ। ଜାନୁଆରୀ ମାସରେ ବିଶେଷ ଫୋକସ୍ ବ୍ୟତୀତ ପ୍ରତି ବୁଧବାରକୁ ଜିରୋ ଟଲେରାନ୍ସ ଡେ ଭାବରେ ପାଳନ କରାଯାଉଛି। ଆଗକୁ ସଚତେନତା କାର୍ଯ୍ୟକ୍ରମ ଓ ଏନଫୋର୍ସମେଣ୍ଟକୁ ଆହୁରି ବ୍ୟାପକ କରାଯିବ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ କଡ଼ାକଡ଼ି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

 

Comments are closed.