Latest Odisha News

BREAKING NEWS

ଧରାପଡ଼ିଲା ଆତଙ୍କ ଖେଳାଇଥିବା ବାଘ

ବାଲେଶ୍ଵର: ଧରା ପଡିଲା ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ । ଦୀର୍ଘ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବନବିଭାଗ ହାତରେ ଧରାପଡ଼ିଲା ବାଘ । ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍, ଔପଦା, ରେମୁଣା, କୁପାରୀ ସୋର ଓ ଶିମିଳିପାଳ ବନ ବିଭାଗ ବାଘକୁ ଧରିବାରେ ସଫଳ ହୋଇଛନ୍ତି । ବାଘଟି କଲରାପତରିଆ ପ୍ରଜାତିର ହୋଇଥିବା ବେଳେ ତା’ର ଉଚ୍ଚତା ୩ଫୁଟ୍‌ ଓ ଲମ୍ୱ ୪ଫୁଟ୍‌ରୁ ଅଧିକ ବୋଲି ଜଣାଯାଇଛି। ବାଘଟି ସୁସ୍ଥ ଥିବା ବେଳେ, ତାକୁ ଶିମିଳିପାଳ ରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ବାଘ ଟି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା । ଗତକାଲି ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମତେ ୪ଜଣ ଆହତ ହୋଇଥିଲେ । ଆହତ ମହିଳା ଜଣଙ୍କ ହେଉଛନ୍ତି ସତ୍ୟଭାମା ନାୟକ । ଗତକାଲି ସତ୍ୟଭାମା ତାଙ୍କ ପୁଅ ରାଧାକାନ୍ତ ଓ ସ୍ବାମୀ ଗଣନାଥଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ହଠାତ୍ ଗୋଟେ ବାଘ ତାଙ୍କୁ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ସତ୍ୟଭାମାଙ୍କର ଚିତ୍କାର ଶୁଣି ତାଙ୍କ ନିକଟକୁ ଧାଇଁ ଯାଇଥିଲେ ସ୍ଵାମୀ ଓ ପୁଅ । କିନ୍ତୁ ବାଘଟି ସେଠାରୁ ଗ୍ରାମଭିତରକୁ ପଳାଇଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜାଖୋଜି କରୁଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତଙ୍କ ସହ ସେଠାରେ ଉପସ୍ଥିତ ଥିବା ଟଙ୍କଧର କେସି ଓ ଅନ୍ୟଜଣକୁ ଆକ୍ରମଣ କରି ପୁନର୍ବାର ଚାଲି ଯାଇଥିଲା । ତେବେ ବାଘ ଆକ୍ରମଣରେ ଆହତ ୪ଜଣଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଉକ୍ତ ଘଟଣାପରେ ପୁରା ଗ୍ରାମରେ ଭୟ ଓ ଆତଙ୍କ ଖେଳି ଯାଇଥିଲା ।

ଏସିଏଫ୍‌ ଦିଗନ୍ତ ଭୂୟାଁଙ୍କ ସମେତ ଔପଦା ରେଞ୍ଜର୍‌ ମନୋରଞ୍ଜନ ନାୟକ, ଫରେଷ୍ଟର୍‌ କିଶୋର ଚନ୍ଦ୍ର ଭୂୟାଁ, କୁପାରୀ ଫରେଷ୍ଟର ନରେଶ ଚନ୍ଦ୍ର ଭୂୟାଁ ପ୍ରମୁଖ ଫରେଷ୍ଟ ଗାର୍ଡମାନଙ୍କ ସହା‌ୟତାରେବ ବିଳମ୍ବିତ ରାତିରେ ବାଘଟିକୁ କାବୁ କରିଛନ୍ତି। ବାଘଟିକୁ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ଜଣାଯାଇଛି। ବାଘଟି ସୁସ୍ଥ ଥିବା ବେଳେ, ତାକୁ ଶିମିଳିପାଳ ରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

 

Comments are closed.