Latest Odisha News

BREAKING NEWS

ମନ ଦୁଃଖରେ ରୋହିତ ନେଇଗଲେ କି ଟେଷ୍ଟ କ୍ରିକେଟରୁ ଅବସର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ବୁଧବାର ହଠାତ ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗତବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ ସେ ଏହି ଫର୍ମାଟରୁ ଅବସର ନେଇଥିଲେ । ହିଟମ୍ୟାନ ଦିନିକିଆ କ୍ରିକେଟ ଜାରୀ ରଖିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ରୋହିତଙ୍କୁ ଅଧିନାୟକ କରାଯିବ ନାହିଁ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ସେ ମନ ଦୁଃଖରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଅନୁମାନ କରାଯାଉଛି । ରୋହିତଙ୍କ ଟେଷ୍ଟ କ୍ରିକେଟ ଫର୍ମ ଦେଖି ଚୟନ କମିଟି ତାଙ୍କ ବଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରୁଥିଲେ । ରୋହିତ ତାଙ୍କ ସୋସିଆଲ ମିଡିଆ ଆକାଂଉଟ ମାଧ୍ୟମରେ ପ୍ରଶଂସକଙ୍କୁ ଅବସର ସମ୍ପର୍କରେ ସୂଚନା ଦେଇଥିଲେ । ସେ ଲେଖିଥିଲେ, ରେଡ ବଲ କ୍ରିକେଟରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ସର୍ବଦା ମୋ ପାଇଁ ଗର୍ବର ବିଷୟ cରହି ଆସିଛି । ଆପଣମାନଙ୍କ ସହଯୋଗ ପାଇଁ ଧନ୍ୟବାଦ । ମୁଁ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିବି ।

ରୋହିତ ୬୭ ଟେଷ୍ଟରେ ୪୦.୫୭ ଆଭରେଜରେ ୪୩୦୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୮ ଅର୍ଦ୍ଧଶତକ ଓ ୧୨ ଶତକ ସାମିଲ । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଏବଂ ପରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର ଶୋଚନୀୟ ପରାଜୟ ଯୋଗୁ ସେ ଚୟନ କମିଟିଙ୍କ ବିଶ୍ୱାସ ହରାଇଥିଲେ । ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହି ନ ଥିଲା । ଇଂଲଣ୍ଡ ଗସ୍ତରେ ଏବେ ଚୟନ କମିଟି ଭାରତ ପାଇଁ ଏହି ଫର୍ମାଟରେ ନୂତନ ଅଧିନାୟକ ଚୟନ କରିବେ । କିଛି ଦିନ ତଳେ ଏକ ସାକ୍ଷାତକାରରେ ରୋହିତ ଟେଷ୍ଟ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି କହିଥିଲେ ।

Comments are closed.