ଆଡିଲେଡ: ଡିସେମ୍ବର ୬ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ ସେ ନେଇ ଆଲୋଚନା ଜୋର ଧରିଥିଲା । ଦଳକୁ ମଜଭୁତ କରିବା ପାଇଁ ରୋହିତ ଓପନିଂ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, କେଏଲ ରାହୁଲ ଓ ଯଶସ୍ୱୀ ଜୈସୱାଲ ଓପିନଂ କରିବେ । ମୁଁ ଅନ୍ୟ କୌଣସି ସ୍ଥାନରେ ବ୍ୟାଟିଂ କରିନେବି । ରୋହିତଙ୍କ ଏହି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ୨୮ ଡିସେମ୍ବର ୨୦୧୮ରେ ରୋହିତ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିଥିଲେ ।
ମେଲବୋର୍ଣ୍ଣରେ ଖେଳାଯାଇଥିବା ଏହି ମ୍ୟାଚରେ ସେ ୬୩ ଓ ୫ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆକୁ ଭାରତ ଏହି ମ୍ୟାଚରେ ପରାଜିତ କରିଥିଲା । ରୋହିତ ଷଷ୍ଠ ସ୍ଥାନରେ ୧୬ଟି ଟେଷ୍ଟ ଖେଳିଥିଲେ । ସେ ୨୫ ଇନିଂସରେ ୫୪.୫୭ ଆଭରେଜରେ ୧୦୩୭ ରନ କରିଥିଲେ । ଏଥିରେ ୩ ଶତକ ଓ ୬ ଅର୍ଦ୍ଧଶତକ ସାମିଲ ଥିଲା । ୧୭୭ ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା । ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକିଥିବା ୪ଟି ମ୍ୟାଚରୁ ଅତି କମରେ ୨ଟି ବିଜୟ ଏବଂ ଗୋଟିଏ ଡ୍ର ରଖିବା ଜରୁରୀ ।
ପର୍ଥ ଟେଷ୍ଟରେ ଯଶସ୍ୱୀ ୧୬୧ ରନର ଇନିଂସ ଖେଳିଥିଲେ । ଯଶସ୍ୱୀ ଏବଂ ରାହୁଲ ତୃତୀୟ ଭାରତ ଯୋଡି ଭାବେ ସେନା ଦେଶରେ ଓପନିଂ ପାର୍ଟନରଶିପରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ପୂର୍ବରୁ ୧୯୭୯ରେ ସୁନୀଲ ଗାଭାସ୍କର-ଚେତନ ଚୌହ୍ୱାନ (୧୯୭୯, ୧୯୮୬ ଓ ୧୯୮୧)ରେ ୨୦୦ରୁ ଊର୍ଦ୍ଧ୍ୱ ପାର୍ଟନରଶିପ ସଂଗ୍ରହ କରିଥିଲେ । ୧୯୩୬ରେ ବିଜୟ ମାର୍ଚ୍ଚାଂଟ-ମୁସ୍ତାକ ଅଲୀ ଏବଂ ଏବେ ଯଶସ୍ୱୀ-ରାହୁଲ ଏହି ସଫଳତା ହାସଲ କରିଛନ୍ତି ।
Comments are closed.