ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚରେ ଆକର୍ଷଣୀୟ ଶତକ ହାସଲ କରି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ମ୍ୟାଚ ପରେ ସେ ଅବସର ନେଉ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ପଦାର୍ପଣ ପରଠାରୁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ବ୍ୟତୀତ ଅନ୍ୟ କିଛି ଚିନ୍ତା କରିନି । ଶେଷ ପର୍ଯ୍ୟନ୍ତ ଏହା ଜାରୀ ରହିବ । ଆଉ ପଡିଆରେ ଥିବା ବେଳେ ଯଦି ଷ୍ଟାଡିୟମରେ ହୋ ହଲ୍ଲା ନ ଆସେ ତେବେ ମଜା ଲାଗେନି । ଯେଉଁଦିନ ଏହା ବନ୍ଦ ହୋଇଯିବ ସେଦିନ କ୍ରିକେଟ ଛାଡିଦେବି ।
ଲର୍ଡସରେ ରୋହିତ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ସେ ସମ୍ପୂର୍ଣ୍ଣ ଭାବେ ଏହାକୁ ଆଗ୍ରାହ୍ୟ କରିଛନ୍ତି । ଅଧିନାୟକ ଶୁଭମନ ଗିଲ ମଧ୍ୟ କହିଛନ୍ତିି ରୋହିତ ଭାଇଙ୍କ ଅବସର ସମ୍ପର୍କରେ କୌଣସି ପ୍ରକାରର ଆଲୋଚନା ହୋଇ ନ ଥିଲା । ଏହା କେବଳ ଏକ ଗୁଜବ । ରୋହିତ ସାଥୀ ଖେଳାଳି ବିରାଟ କୋହଲିଙ୍କ ସହ ୪୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି ।