ନୂଆଦିଲ୍ଲୀ:ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସେପ୍ଟମ୍ବର ୧୩ରେ ବେଙ୍ଗାଲୁରରେ ଥିବା ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସରେ ଫିଟନେସ ଟେଷ୍ଟ ଦେବେ । ଉଭୟ ୟୋ ୟୋ ଓ ବ୍ରୋଙ୍କୋ ଟେଷ୍ଟ ମଧ୍ୟ ତାଙ୍କୁ ଦେବାକୁ ହେବ । ଏହା ପରୋକ୍ଷରେ ରୋହିତଙ୍କ ଭାଗ୍ୟ ନିର୍ଭର କରିବ । ଯଦି ସେ ସମ୍ପୂର୍ଣ୍ଣ ଫିଟ ରହିବେ ତେବେ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ ପ୍ରଦାନ କରାଯିବ । ରୋହିତ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଅଭ୍ୟାସ ମଧ୍ୟ କରିବେ । ୧୧ରୁ ୧୫ ସେପ୍ଟମ୍ବର ପର୍ଯ୍ୟନ୍ତ ଏଠାରେ ଥିବା ଗ୍ରାଉଣ୍ଡ ୧ରେ ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ ଖେଳାଯିବ । ସେଥିପାଇଁ ରୋହିତଙ୍କ ଫିଟନେସ ଟେଷ୍ଟ ଅନ୍ୟ ଏକ ଗ୍ରାଉଣ୍ଡରେ ହେବ ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ରୋହିତ ଏବଂ କୋହଲି ଅଷ୍ଟ୍ରେଲିଆ ଏ ବିପକ୍ଷ ମୁକାବିଲାରେ ଭାରତ ଏ ପକ୍ଷରୁ ମଧ୍ୟ ଖେଳିବା ସମ୍ଭାବନା ରହିଛି । ଦୁଇ ଟିମ ମଧ୍ୟରେ ୩ଟି ମ୍ୟାଚ ଖେଳାଯିବ । ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ୩୮ ବର୍ଷୀୟ ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରଠାରୁ ଆଉ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ରୋହିତ ଏବେ ନିଜ ବନ୍ଧୁ ତଥା ପୂର୍ବତନ ସହକାରୀ କୋଚ ଅଭିଷେକ ନାୟାରଙ୍କ ସହ ବିକେସି ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ।
Comments are closed.