ଅହମ୍ମଦାବାଦ: ଭାରତୀୟ ପ୍ରଶଂସକଙ୍କ ଆଖିକୁ ନିଦ ନାହିଁ । ତାଙ୍କ ପ୍ରିୟ ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆକୁ ହରାଇ ଟିମଇଣ୍ଡିଆ କିପରି ଟାଇଟଲ ଜିତିବ ସେହି ଗୋଟିଏ ଚିନ୍ତା ସମସ୍ତଙ୍କୁ ଘାରିଛି । ଭାରତୀୟ ଦଳର ପ୍ରଦର୍ଶନ ସେମାନଙ୍କ ମନୋବଳ ବଢ଼ାଇଛି । ଏହି ଅବସରରେ ଫାଇନାଲ ପୂର୍ବ ରାତିରେ ଅଧିନାୟକ ରୋହିତ ଶର୍ମା ପ୍ରେସ କନଫେରେନ୍ସରେ ସବୁ କିଛି ସ୍ପଷ୍ଟ କରି ଦେଇଛନ୍ତି । ମନ ଖୋଲି ସେ ସବୁ କହିଛନ୍ତି । ଯେବେଠାରୁ ମୁଁ ଅଧିନାୟକ ହେଇଛି ସେବେଠାରୁ ଏହି ଦିନକୁ ଅପେକ୍ଷା କରିଛି । କୋଚ ରାହୁଲ ଡ୍ରାଭିଡ ଏକ ମଜଭୁତ ଟିମ ପ୍ରସ୍ତୁତ କରିବାରେ ସମସ୍ତ ଉଦ୍ୟମ କରିଛନ୍ତି । ଖେଳାଳିମାନେ ସେମାନଙ୍କ ଭୂମିକା ସହ ଭଲ ଭାବେ ଅବଗତ । ରାହୁଲ ଭାଇଙ୍କ ପାଇଁ ଆମେ ଚାମ୍ପିୟନ ହେବାକୁ ଚାହୁଁଛୁ । ତାଙ୍କ ଯୋଗଦାନ ଭୁଲି ହେବନି ।
୨୦୧୧ ବିଶ୍ୱକପର ଅଂଶବିଶେଷ ନ ହେବା ସର୍ବଦା ମୋତେ ଭାବପ୍ରବଣ କରିଦିଏ । ପିଲାବେଳୁ ଦିିନିକିଆ କ୍ରିକେଟ ସହ ଭଲ ଭାବେ ଅବଗତ । ଫାଇନାଲରେ ଦଳର ନେତୃତ୍ୱ ନେବି କେବେ ଭାବି ନ ଥିଲି । ଭାରତୀୟ ଟିମର ସଦସ୍ୟ ହେବା ସବୁଠାରୁ ବଡ କଥା । ଏହି ଅବସରରେ ମହମ୍ମଦ ସାମୀଙ୍କୁ ପ୍ରଥମ ୪ଟି ମ୍ୟାଚରେ ସାମିଲ ନ କରିବା ସବୁଠାରୁ କଠିନ ନିଷ୍ପତି ଥିଲା । ସେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନ ଥିଲେ । ସାଥୀ ବୋଲରଙ୍କ ସହ ଅଭ୍ୟାସ କରି ଫର୍ମକୁ ଫେରିଥିଲେ । ତାଙ୍କ ପ୍ରଦର୍ଶନ ଏବେ ଆମ ପାଇଁ ଅନେକ ଆଶା ସୃଷ୍ଟି କରିଛି । ଆଶା କରୁଛି ପ୍ରଶଂସକଙ୍କୁ ଆମେ ନିରାଶ କରିବୁ ନାହିଁ ବୋଲି ରୋହିତ ଶେଷରେ କହିଛନ୍ତି ।
Comments are closed.